Latest Odisha News

BREAKING NEWS

ଗାନ୍ଧୀ ବେଶରେ ‘ସ୍ୱଚ୍ଛ ଭାରତ ଅଭିଯାନ’, ଖାଲି ପାଦରେ ଚାଲି କଲେ ନୂଆ କୀର୍ତ୍ତିମାନ

ଭୁବନେଶ୍ୱର: ମୋହନ ମହାପାତ୍ର, ବୟସ ମାତ୍ର ୨୦ ବର୍ଷ । ମୋହନଙ୍କୁ ଏବେ ସମସ୍ତେ ଏକ ଅନ୍ୟ ନାମରେ ଚିହ୍ନନ୍ତି, ସାଇରାମ ଗାନ୍ଧୀ ଭାବେ । ସେ ସମଗ୍ର ଭାରତରେ ସ୍ୱଚ୍ଛ ଅଭିଯାନ ବାର୍ତ୍ତାକୁ ପ୍ରଚାର କରିଚାଲିଛନ୍ତି ଖାଲି ପାଦରେ ଚାଲିଚାଲି । ଏପର୍ଯ୍ୟନ୍ତ ସେ ଭାରତର ୭ଟି ରାଜ୍ୟରେ ଖାଲିପାଦରେ ଅତିକ୍ରମ କରି ସ୍ୱଚ୍ଛ ଭାରତ ଅଭିଯାନର ବାର୍ତ୍ତା ପ୍ରସାର ଓ ପ୍ରଚାର କରିଚାଲିଛନ୍ତି ।

ମହାତ୍ମାଗାନ୍ଧୀଙ୍କ ବେଶରେ ରହି ଖାଲି ପାଦରେ ଗାନ୍ଧୀ ବାର୍ତ୍ତା ପ୍ରଚାର କରୁଥିବା ଏହି ଓଡ଼ିଆ ଯୁବକ ମୋହନ ମହାପାତ୍ରଙ୍କୁ ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ‘ଗାନ୍ଧୀ ବେଶରେ ସର୍ବାଧିକ ରାସ୍ତା ଅତିକ୍ରମ’ କରିଥିବା ଯୋଗୁଁ ସମ୍ବର୍ଦ୍ଦିତ କରିଛନ୍ତି ।

ଗତ ୨ ବର୍ଷ ମଧ୍ୟରେ ମୋହନ ମୁହଁ ସମେତ ସର୍ବାଙ୍ଗରେ ସିଲଭର୍ ରଙ୍ଗ ବୋଳି ହୋଇ ପ୍ରାୟ ୨୦୦୦ କି.ମି. ଚାଲି ସାରିଲେଣି ।

ସେ ଓଡ଼ିଶାର ଜଣେ ମଞ୍ଚନାଟକ ଛାତ୍ର ହିସାବରେ ଜୁନ ୨୬, ୨୦୧୬ ମସିହାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିଥିଲେ । ସେ ତାଙ୍କର ସମଗ୍ର ଜୀବନକୁ ସ୍ୱଚ୍ଛତା ଓ ଶାନ୍ତି ଲାଗି ସମର୍ପିତ କରିଦେଇଥିବା ସ୍ଥଳେ ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ଏକ ଚାକିରି ପାଇବାକୁ ଆଶା ବାନ୍ଧିଛନ୍ତି ।

ମୋହନ ସ୍କୁଲରେ ପାଠ ପଢିଲା ବେଳୁ ହିଁ ନାଟକରେ ଗାନ୍ଧୀ ଭୂମିକାରେ ଅଭିନୟ କରିବାକୁ ବେଶ୍ ପସନ୍ଦ କରୁଥିଲେ । ସେ ଯେଉଁଆଡ଼େ ବି ଯାଆନ୍ତି ସମସ୍ତେ ତାଙ୍କ ସହିତ ଏକ ସେଲଫିଟିଏ ନେବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ମୋହନ ଇତିମଧ୍ୟରେ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିବା ସହିତ ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିସାରିଛନ୍ତି । କିନ୍ତୁ ସେ ଏଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ପ୍ରତୀକ୍ଷା କରିଛନ୍ତି, ଏବଂ ସେ ମୋଦିଙ୍କୁ ଭେଟି ସ୍ୱଚ୍ଛତାକୁ ନେଇ ତାଙ୍କର ମିଶନ ସମ୍ପର୍କରେ କହିବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

ମୋହନଙ୍କ ବାପା ଗତ ତିନିମାସ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି, ଏବେ ସେ କୌଣସି ନିଯୁକ୍ତି ହାସଲ କରିପାରିନାହାନ୍ତି ।

Leave A Reply

Your email address will not be published.