Latest Odisha News

BREAKING NEWS

Drishyam 3: ଥିଏଟରରେ ‘ଦୃଶ୍ୟମ୍ ୩’ର ଧମାକା, ଓପନିଂରେ ଅଜୟ ଦେବଗନଙ୍କ ନୂଆ ରେକର୍ଡ! ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ?

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ପରଦାକୁ ଫେରିଛି ଅଜୟ ଦେବଗନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦୃଶ୍ୟମ୍: ଦ କନକ୍ଲୁଜନ୍’। ଅକ୍ଟୋବର ୨(ଶୁକ୍ରବାର)ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଅନେକ ଥିଏଟରରେ ହାଉସଫୁଲ୍‌ ଶୋ ଚାଲିଥିବା ବେଳେ, ପ୍ରାରମ୍ଭିକ ବକ୍ସ ଅଫିସ୍‌ ଅନୁମାନ ମଧ୍ୟ ଫିଲ୍ମ ପାଇଁ ବଡ଼ ଆଶା ସୃଷ୍ଟି କରିଛି।

ଇଣ୍ଡଷ୍ଟ୍ରି ଟ୍ରାକର ବକ୍ସ ଅଫିସ୍ ଇଣ୍ଡିଆର ପ୍ରାରମ୍ଭିକ ଆକଳନ ଅନୁସାରେ, ଭାରତରେ ପ୍ରଥମ ଦିନରେ ଫିଲ୍ମ ପ୍ରାୟ ୫୦ କୋଟି ଟଙ୍କା ନେଟ୍‌ କଲେକ୍ସନ୍ କରିପାରେ ବୋଲି ଅନୁମାନ ଥିଲା। ତେବେ ଜାତୀୟ ଛୁଟି ଓ ଅଜୟ ଦେବଗନଙ୍କ ‘ବିଜୟ ସାଲଗାଓଁକର’ ଚରିତ୍ରକୁ ନେଇ ଥିବା କ୍ରେଜ୍‌ ଯୋଗୁଁ ପ୍ରଥମ ଦିନର ଆୟ ୫୫ରୁ ୬୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ହୋଇପାରେ ବୋଲି ବ୍ୟବସାୟିକ ଆକଳନ କହୁଛି। ଯଦି ଏହି ଅନୁମାନ ସତ ହୁଏ, ତେବେ ‘ଦୃଶ୍ୟମ୍: ଦ କନକ୍ଲୁଜନ୍’ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନର୍‌ ହୋଇପାରେ। ୨୦୨୪ରେ ରିଲିଜ୍ ହୋଇଥିବା ‘ସିଂଘମ୍ ଏଗେନ୍’ ପ୍ରଥମ ଦିନରେ ୪୩.୭୦ କୋଟି ଟଙ୍କା ନେଟ୍‌ କଲେକ୍ସନ୍ କରି ଅଜୟଙ୍କ ସର୍ବାଧିକ ଓପନିଂ ରେକର୍ଡ କରିଥିଲା। କେବଳ ଓପନିଂ ନୁହେଁ, ଫିଲ୍ମର ଲାଇଫଟାଇମ୍‌ କଲେକ୍ସନ୍‌ ମଧ୍ୟ ବଡ଼ ହୋଇପାରେ ବୋଲି ଟ୍ରେଡ୍‌ ଆକଳନ ରହିଛି। ଭାରତରେ ଏହା ୩୦୦ କୋଟି ଟଙ୍କା ନେଟ୍‌ କଲେକ୍ସନ୍‌ କିମ୍ବା ତା’ଠାରୁ ଅଧିକ କରିପାରେ ବୋଲି ଆଶା କରାଯାଉଛି।

ଫିଲ୍ମର କାହାଣୀ ‘ଦୃଶ୍ୟମ୍ ୨’ର ଘଟଣାର ପ୍ରାୟ ୬ ମାସ ପରେ ଆରମ୍ଭ ହେଉଛି। ବିଜୟ ସାଲଗାଓଁକର ଓ ତାଙ୍କ ପରିବାର ପୁଣିଥରେ ସାଧାରଣ ଜୀବନକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ମାମଲା ତାଙ୍କ ପିଛା ଛାଡ଼ୁନାହିଁ। ଏହି ସମୟରେ ନୂଆ ପୋଲିସ ଅଧିକାରୀ ରାଜବୀର ସିଂହ ତୋମରଙ୍କ ଏଣ୍ଟ୍ରି ହୁଏ। ଏହି ଭୂମିକାରେ ଜୟଦୀପ ଅହଲାୱତ ନଜର ଆସିଛନ୍ତି। ରିଭ୍ୟୁ ଅନୁସାରେ, ଫିଲ୍ମରେ ଅନେକ ଟ୍ୱିଷ୍ଟ ଓ ଟର୍ଣ୍ଣ ରହିଛି। ବିଜୟ ପୁଣିଥରେ ଆଇନରୁ ନିଜ ପରିବାରକୁ ବଞ୍ଚାଇବା ପାଇଁ ନୂଆ ଚାଲ୍‌ ଖେଳୁଛନ୍ତି। ଅଜୟ ଦେବଗନଙ୍କ ଅଭିନୟକୁ ବିଶେଷ ପ୍ରଶଂସା ମିଳିଛି। ୧୧ ବର୍ଷ ଧରି ବିଜୟ ଚରିତ୍ରରେ ରହି ଅଜୟ ଏହି ଭୂମିକାକୁ ନିଜର କରିଦେଇଥିବା ରିଭ୍ୟୁରେ କୁହାଯାଇଛି।

ଶ୍ରିୟା ସରନ୍‌ଙ୍କର ମଧ୍ୟ କିଛି ଭାବପ୍ରବଣ ଦୃଶ୍ୟ ରହିଛି। ତବୁ ଓ ରଜତ କପୁର ପୁଣିଥରେ ନିଜ ଭୂମିକାକୁ ଫେରିଛନ୍ତି। ପ୍ରକାଶ ରାଜ ଓ ଜୟଦୀପ ଅହଲାୱତଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଛି। ବିଶେଷ କରି ପ୍ରକାଶ ରାଜଙ୍କ ଡାଏଲଗ୍‌ ଫିଲ୍ମରେ ହାସ୍ୟର ମାହୋଲ୍‌ ସୃଷ୍ଟି କରିଥିବା ରିଭ୍ୟୁରେ କୁହାଯାଇଛି। ତେବେ ଫିଲ୍ମର ଦୁର୍ବଳତା ଭାବେ ଏହାର କ୍ଲାଇମାକ୍ସକୁ ଦର୍ଶାଯାଇଛି। ଟ୍ୱିଷ୍ଟ ଓ ଚତୁର ଚାଲ୍‌ ଥିଲେ ମଧ୍ୟ ଶେଷ ଭାଗରେ ଦର୍ଶକ ଯେଉଁ ବଡ଼ ଧମାକା ଆଶା କରୁଥିଲେ, ତାହା ମିଳୁନଥିବା ରିଭ୍ୟୁରେ କୁହାଯାଇଛି। କୋର୍ଟରୁମ୍‌ ଦୃଶ୍ୟ ମଧ୍ୟ ଆଶା ଅନୁଯାୟୀ ପ୍ରଭାବ ପକାଇନଥିବା ମତ ଦିଆଯାଇଛି। ତଥାପି ଫିଲ୍ମରେ ଥିବା ଟ୍ୱିଷ୍ଟ, ସସ୍ପେନ୍ସ, ବିଜୟଙ୍କ ଚତୁର ଚାଲ୍‌ ଓ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଛି।

ତେବେ ଏହା ‘ଦୃଶ୍ୟମ୍’ ଫ୍ରାଞ୍ଚାଇଜର ଶେଷ ଫିଲ୍ମ। ମାଲାୟାଲମ୍‌ ଫ୍ରାଞ୍ଚାଇଜରେ ମୋହନଲାଲ୍‌ଙ୍କ ଜର୍ଜକୁଟ୍ଟି ଚରିତ୍ର ଥିବାବେଳେ, ହିନ୍ଦୀ ଭର୍ସନ୍‌ରେ ବିଜୟ ସାଲଗାଓଁକରଙ୍କ କାହାଣୀର ଏଠାରେ ଅନ୍ତ ହେଉଛି। ଫିଲ୍ମରେ ଅଜୟ ଦେବଗନ, ଶ୍ରିୟା ସରନ୍‌, ତବୁ, ଜୟଦୀପ ଅହଲାୱତ, ଇଶିତା ଦତ୍ତା, କମଲେଶ ସାୱନ୍ତ, ମୃଣାଳ ଯାଦବ, ପ୍ରକାଶ ରାଜ ଓ ରଜତ କପୁର ପ୍ରମୁଖ ଅଭିନୟ କରିଛନ୍ତି।

ତେବେ ବକ୍ସ ଅଫିସ୍‌ରେ ‘ଦୃଶ୍ୟମ୍ ୩’ର ଆରମ୍ଭ ଜବରଦସ୍ତ ହୋଇଥିବା ବେଳେ, ଫିଲ୍ମର କାହାଣୀ ଓ କ୍ଲାଇମାକ୍ସକୁ ନେଇ ରିଭ୍ୟୁରେ ମିଶ୍ର ପ୍ରତିକ୍ରିୟା ମିଳିଛି। ଏବେ ଆଗାମୀ ଦିନର କଲେକ୍ସନ୍‌ ହିଁ କହିବ, ଅଜୟଙ୍କ ଏହି ଶେଷ ‘ଦୃଶ୍ୟମ୍’ କେତେ ବଡ଼ ବକ୍ସ ଅଫିସ୍‌ ରେକର୍ଡ କରୁଛି।

Leave A Reply

Your email address will not be published.