ସୋନପୁର: ଝିଅ ଶାଶୂ ଘରେ କେମିତି ଅଛି ଦେଖିବାକୁ ଆସିଥିଲେ ବାପା-ମା’ । ହେଲେ ଏ ଦେଖା ତାଙ୍କର ଶେଷ ଦେଖା ପାଲଟିଗଲା । ଝିଅ ଶାଶୂ ଘର ଗାଁ ନାଳରେ ବୁଡି ଚାଲିଗଲା ବାପାଙ୍କ ଜୀବନ । ମା’ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ପାଣିରେ ବୁଡି ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।
ମୃତକ ଜଣକ ସମ୍ବଲପୁର ଜିଲ୍ଲା ଚାରମାଳ ବିଶ୍ଵନାଥପୁର ଗାଁର ୭୦ ବର୍ଷୀୟ ଉଦ୍ଧବ ପଧାନ । ସେ ପତ୍ନୀ ୬୫ ବର୍ଷୀୟ ମାଳତୀଙ୍କ ସହ କର୍ଡ଼ପାଳସ୍ଥିତ ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିଲେ । ଗାଁ ନିକଟ ପାଣିଖିଆ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ଘଟିଥିଲା ଅଘଟଣ । ଉଦ୍ଧବ ଗାଧୋଉ ଥିବା ବେଳେ ହଠାଥ ଗୋଡ଼ ଖସି ଯିଵାରୁ ପାଣିରେ ବୁଡ଼ିଯାଇଥିଲେ ।
ସ୍ୱାମୀ ବୁଡି ଯାଉଥିବା ଦେଖି ସ୍ତ୍ରୀ ମାଳତୀ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ । ହେଲେ ସେ ମଧ୍ୟ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଉଦ୍ଧବଙ୍କ ମୃତ୍ୟୁ ଘଟି ସାରିଥିଲା । ମାଳତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ବୀରମହାରାଜପୁର ପୋଲିସ ମୃତକଙ୍କ ଶବକୁ ଜବତକରି ତଦନ୍ତ ଆରମ୍ଭ କରିଛି ।
Comments are closed.