ଭୁବନେଶ୍ୱର: ଭୁବନେଶ୍ୱରର ଜାଗମରା ଛକରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମଦ୍ୟପାନ କରି ଦ୍ରୁତଗତିରେ କାର ଚଳାଉଥିବା ସମୟରେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା।ଯାହାଫଳରେ ଚାରି ଜଣ ଗୁରୁତର ଆହତ ହୋଇଥିବା ରିପୋର୍ଟ ରୁ ଜଣାପଡିଛି। ଏହି ଦୁର୍ଘଟଣା ଘଟିବାର କିଛି ମିନିଟ୍ ମଧ୍ୟରେ ଜରୁରୀକାଳୀନ ସେବା ଏବଂ ଟ୍ରାଫିକ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୀଡିତମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ପରେ ଡିସଚାର୍ଜ କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କାରଟି ବ୍ୟସ୍ତବହୁଳ ଛକ ଦେଇ ଅନିୟନ୍ତ୍ରିତ ଭାବରେ ଚାଲିବା ସହ ସେଠାରେ ପାର୍କିଂ ହୋଇଥିବା ମୋଟରସାଇକେଲ, ଅଟୋ-ରିକ୍ସା ଏବଂ ଗାଡ଼ି ସହିତ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ଉଠାଯିବା ସହ ଗାଡ଼ିର ଭଙ୍ଗା ଖଣ୍ଡଗୁଡ଼ିକୁ ରାସ୍ତାରୁ ସଫା କରାଯାଇଥିଲା।
ତେବେ ଖଣ୍ଡଗିରି ପୋଲିସ ଘଟଣାର ତଦନ୍ତ କରି ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ମଦ୍ୟପ ଡ୍ରାଇଭରଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି।