Latest Odisha News

BREAKING NEWS

ମଦ୍ୟପ ଡ୍ରାଇଭରଙ୍କୁ ଧରିବ ପୋଲିସ, ୧୪ଟି ଟୋଲଗେଟରେ ହେବ କଡ୍ଡା ଚେକିଂ…

କଟକ: ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ସଡ଼କ ସୁରକ୍ଷା ପଦକ୍ଷେପଗୁଡ଼ିକୁ ଅନୁଧ୍ୟାନ କରିଥାଆନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟର ସଡ଼କ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁହାରକୁ ୧୦ ଶତକଡ଼ା ହାରରେ ହ୍ରାସ କରିବା ପାଇଁ କମିଟିର ନିର୍ଦ୍ଦେଶ ରହିଛି । ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ, ବିଭିନ୍ନ ପ୍ରକାର ଭିତ୍ତିକୁ ଦୃଷ୍ଟିରେ ରଖି ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏକ ନିର୍ଦ୍ଦେଶନାମା ୩୮୨/୨୦୧୯ ଜାରିକରିଛନ୍ତି ।

ମଦ୍ୟପାନ କରି ଗାଡ଼ି ଚଳାଇବା ଦ୍ୱାରା ଅଧିକାଂଶ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଥିବାରୁ, ମୋଟର ଗାଡ଼ି ଆଇନ ୧୯୮୮ର ଦଫା ୧୮୫ର ବ୍ୟବସ୍ଥା ଅନୁଯାୟୀ ଏହି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଓ ଜୋରିମାନା ଆଦାୟ କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଛନ୍ତି ।

କମିଟିର ନିର୍ଦ୍ଦେଶ ଅନୁଯାୟୀ ଆମ ରାଜ୍ୟ ସରକାର ମଧ୍ୟ ମୋଟରଗାଡ଼ି ଆଇନ ୧୯୮୮ର ଦଫା ୨୦୨ ଓ ୨୦୩ର ବ୍ୟବସ୍ଥା ଅନୁଯାୟୀ ମଦ୍ୟପାନ କରି ଚଳାଉଥିବା ଗାଡ଼ି ଚାଳକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଓ ଜୋରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରଥମପର୍ଯ୍ୟାୟରେ ରାଜ୍ୟର ୧୪ଟି ତନଖି ଫାଟକ ଯଥା ଶେରଗଡ଼, ପାଣିକୋଇଲି, ଢେଙ୍କିକୋଟ, ପଳାଶପଙ୍କ, ରାମଚନ୍ଦ୍ରପୁର, ପିପିଲି, ମାଶୁଣିକଣି, ରାଜଗାଙ୍ଗପୁର, ତାପଙ୍ଗ, ଲଙ୍ଗଳେଶ୍ୱର, ଶାସନ, ଅତାବିରା, ବାଲିଚନ୍ଦ୍ରପୁର ଏବଂ ମଙ୍ଗୁଳିଠାରେ ଆସନ୍ତା ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟାରୁ ବ୍ରେଥ ଆନାଲାଇଜର୍ ଯନ୍ତ୍ର ବ୍ୟବହାର କରି ମଦପିଇ ଗାଡ଼ି ଚଳାଉଥିବା ଆଇନ ଉଲଂଘନକାରୀ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ ।

ଯଦି ଗାଡ଼ି ଚାଳକଙ୍କର ୧୦୦ମିଲି ରକ୍ତ ନମୁନାରେ ୩୦ମିଲିଗ୍ରାମ ଠାରୁ ଅଧିକ ଆଲକୋହଲ୍ ମିଳେ ଏବଂ ସେ ନିରାପଦ ଭାବରେ ଗାଡ଼ି ଚଳାଇବା ପାଇଁ ସକ୍ଷମ ନୁହଁନ୍ତି ତାଙ୍କୁ ଗିରଫ କରାଯିବ ।

ଗିରଫ ହେବାର ୨ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ପଞ୍ଜିକୃତ ଡ଼ାକ୍ତରଙ୍କ ଦ୍ୱାରା ରକ୍ତ ନମୁନା ସଂଗ୍ରହ କରାଯିବ ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ପୋଲିସ ଅଫିସରମାନଙ୍କୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ କେବଳ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ସନ୍ଦେହ ହେଉଥିବା ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିବେ ।

Leave A Reply

Your email address will not be published.