Latest Odisha News

ବାରିପଦାରେ ନକଲି ମଦ କାରଖାନା ଠାବ

ବାରିପଦା: କବାଡିଖାନା ଆଳରେ ଦୀର୍ଘ ଦିନ ହେବ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା। ଯାହା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି।

ବିଶେଷସୂତ୍ରରୁ ଖବର ପାଇ ପୋଲିସ୍ ଗତକାଲି ରାତିରେ ଚଢାଉ କରିଥିଲା ବେଳେ ଜବତ ହୋଇଛି ବିପୁଳ ନକଲି ବିଦେଶୀ ମଦ। ଏଭଳି ଘଟଣା ଘଟିଛି ଖୁଂଟା ଥାନା ଅଂଚଳରେ।

ବାହାରୁ ଦେଖିଲେ ଘର ସାମ୍ନାରେ ପଡିଛି ଭଙ୍ଗା ସାଇକେଲ, ଟିଣ ଏବଂ ବିଭିନ୍ନ ପ୍ରକାର ଭଙ୍ଗା ସାମଗ୍ରୀ । ଦୂରରୁ ଦେଖିଲେ ଏହା କବାଡିଖାନା ବୋଲି ଆପଣ ଭାବିବେ । ଏଭଳି ଏକ କାରଖାନା ଉପରେ ଗତକାଲି ରାତିରେ ଚଢାଉ କରିଥିଲା ଖୁଂଟା ପୋଲିସ୍ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।

ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇ ଆସୁଥିବା ଫାଙ୍କା ବିଦେଶୀ ମଦ ବୋତଲରେ ସ୍ପିରିଟ, ରଙ୍ଗ ଏବଂ କିଛି ଅପମିଶ୍ରିତ ସାମଗ୍ରୀ ଦେଇ ତିଆରି ଚାଲିଥିଲା ନକଲି ବିଦେଶୀ ମଦ ପ୍ୟାକିଂ ।

ଏପରିକି ମଦ ବୋତଲ ପ୍ୟାକିଂ କରିବା ନିମନ୍ତେ ଏକ ମେସିନ୍ ମଧ୍ୟ ରହିଥିବା ବେଳେ ମଦ ବୋତଲରେ ଲାଗୁଥିବା ଷ୍ଟିକର ମଧ୍ୟ ନକଲି ତିଆରି କରାଯାଇ ଏହି ମଦ ବୋତଲରେ ଲଗାଯାଉଥିଲା । ଏହି ଚଢାଉ ସମୟରେ ପ୍ୟାକିଂ ସରିଥିବା ବିଦେଶୀ ନକଲି ମଦ ଶହଶହ ବୋତଲ ଜବତ ହୋଇଥିବା ବେଳେ ଆହୁରି କିଛି ପ୍ୟାକିଂ ନିମନ୍ତେ ପ୍ରସ୍ତୁତି ହେଉଥିଲା ।

ଏହା ସହିତ ତିନି ଗୋଟି ସ୍ପିରିଟ୍ ଜାର ମଧ୍ୟ ଜବତ କରିଛି ପୋଲିସ୍ । ଏହି ଘଟଣାରେ ପୋଲିସ୍ ଘରର ମାଲିକ ରମେଶ ମିଶ୍ର ଏବଂ ତାଙ୍କ ଭଣଜା ସତ୍ୟରଞ୍ଜନ ଶତପଥୀଙ୍କୁ ଅଟକ ରଖି ତଦନ୍ତ କରୁଛି । ତତସହିତ ବାରିପଦାରୁ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି ।

ତେଣେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ କେବଳ ଏହି ଦୁଇ ଜଣ ସଂପୃକ୍ତି ନା ଏହା ପଛରେ ଏକ ର‌୍ୟାକେଟ୍ ରହିଛି ତାହାର ଖୋଳତାଡ କରୁଛି ପୋଲିସ୍। ଜବତ ନକଲି ବିଦେଶୀ ମଦ ୧୮୦ ଏମଏଲର।

Leave A Reply

Your email address will not be published.