Latest Odisha News

ବ୍ରହ୍ମପୁରରେ ମାଙ୍କୁ ମେଲାଣି

ବ୍ରହ୍ମପୁର: ବର୍ଷା ମାଡ଼ ସତ୍ତ୍ବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମାଁ ଦୁର୍ଗାଙ୍କ ପୂଜା ଶେଷ ହୋଇଯାଇଛି। ଶୁକ୍ରବାର ଭସାଣି ପର୍ବ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସହରର ୪୦ଟି ସ୍ଥାନରେ ପୂଜା ଆୟୋଜନ ହୋଇଥିବା ବେଳେ ୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ଫାଷ୍ଟଗେଟ ଡେରା ଶ୍ମଶାନ, ଗୋଷାଇଁନୂଆଗାଁ ଆଗୁଳା ବନ୍ଧ, ଆମ୍ବପୁଆ ବିବେକ ବିହାର ଏବଂ ମିନାକ୍ଷୀନଗର ଆମ୍ବ ମାର୍କେଟ ସମ୍ମୁଖ।
ଫାଷ୍ଟଗେଟ ଡେରା ଶ୍ମଶାନ ପାଖରେ ନିର୍ମିତ ଅସ୍ଥାୟୀ ପୋଖରୀରେ ଫାଷ୍ଟଗେଟ ଟ୍ରକ ଟର୍ମିନାଲ, ଦେଶୀବେହେରା ସାହି, ଖଣ୍ଡିଆ କୁମୁଟି ସାହି, ପୁରୁଣା ବ୍ରହ୍ମପୁର, ଗିରି ମାର୍କେଟ, ଶଙ୍କରପୁର ସାହି, ଚୈତନ୍ୟନଗର, ଗେଟବଜାର ଏବଂ କର୍ପୋରେସନ ରୋଡର ମେଢ଼ ଭସାଣି ପାଇଁ ସ୍ଥିର କରାଯାଇଛି। ଗୋଷାଇଁନୁଆଗାଁ ଆଗୁଳା ବନ୍ଧରେ ବିଜିପୁର ତୋଟା ସାହି, ଟାଟା ବେଞ୍ଜ, ବିଜିପୁର, ହିଲପାଟଣା, କାଳୁଆ ପୂଜା କମିଟି, ପିଡବ୍ଲୁଡି କଲୋନୀ, ଓଏସଆରଟିସି ଗ୍ୟାରେଜ, ବିଜିପୁର ଛକ, ନେହେରୁନଗର, ଗୋଦାବରିଶ ନଗରର ମେଡ଼ ଭସାଣ ହେବ। ବିବେକ ବିହାରସ୍ଥିତ ଅସ୍ଥାୟୀ ପୋଖରୀରେ କୋର୍ଟପେଟା, କମାପଲ୍ଲୀ, ଆଙ୍କୁଲି, ଇଞ୍ଜିନିୟରିଂ କଲେଜ ଛକ, ଖୋଡ଼ାସିଙ୍ଗି, ବଡ଼ମେଖମୁଣ୍ଡି ସାହି, ଗୋଇଲୁଣ୍ଡି, ନୂଆ ବସଷ୍ଟାଣ୍ଡର ମେଢ଼କୁ ଭସାଣି କରାଯିବ। ସେହିଭଳି ଆମ୍ବ ମାର୍କେଟ ସମ୍ମୁଖରେ ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ଦଳୁଆ ସାହି, ହନୁମାନବଜାର, ଗାନ୍ଧୀନଗର, ଗିରିଜା ଛକ, ପୁରୁଣା ବସଷ୍ଟାଣ୍ଡ, ପ୍ରେମନଗର ଆଦି ଅଞ୍ଚଳର ମେଢ଼କୁ ଭସାଣି ପାଇଁ ସ୍ଥିର କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ କେବଳ ଗାନ୍ଧୀନଗର ପୂଜା କମିଟିର ମେଢ଼ ଭସାଣି ହୋଇଛି। ଅନ୍ୟ ସମସ୍ତ ମେଢ଼ ଅପରାହ୍ନରେ ଭସାଣି କରାଯିବ ବୋଲି ସୂଚନା ମିଳିଛି।

 

Comments are closed.