Latest Odisha News

BREAKING NEWS

ମଣ୍ଡପରେ ଦୁର୍ଗା ପୂଜା ପ୍ରସ୍ତୁତି

କଟକ : ପାଖେଇ ଆସୁଛି ଦଶହରା ।  ମାଆଙ୍କ ଆଗମନକୁ ନେଇ କଟକ ସହରରେ ଥିବା ପୂଜା ମଣ୍ଡପ ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ପଡିଛି । ସହରର ବିଭିନ୍ନ ପୂଜା ମଣ୍ଡପର ଇତିହାସ ସହ କିମ୍ବଦନ୍ତୀ ଯୋଡି ହୋଇଛି  । ଚୌଧୁରୀବଜାର ପୂଜା ପେଣ୍ଡାଲ୍ ରେ ୧୮୭୨ ମସିହାରେ ପୂଜା ଆରମ୍ଭ କରାଯାଇଥିଲା। ଆଉ ପରେ ୧୯୫୬ ରେ ଚାନ୍ଦି ମେଢ କରାଯାଇଥିଲା । ସେ ସମୟରେ ଚୌଧୁରୀବଜାର ମାଆ ଦୁର୍ଗାଙ୍କ ଚାନ୍ଦିମେଢ ପାଇଁ ସାରା ଭାରତରେ ପ୍ରସିଦ୍ଧ ଲାଭ କରିଥିଲା ।

ସେହିପରି ୧୯୯୩ ମସିହାରେ ପ୍ରଥମ କରି ମାଆଙ୍କର ସୁନା ମକୁଟ ସହ ବିଭିନ୍ନ ଅଳଙ୍କାର ମଧ୍ୟ ଲାଗି କରାଯାଇଥିଲା । ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ପାର୍ଶ୍ଵ ଦେବାଦେବୀଙ୍କ ଠାରେ ସୁନା ଆଉ ଚାନ୍ଦି ଗହଣା ଲଗାଯାଇଥିଲା। ଚଳିତବର୍ଷ ଆଉ ଦୁଇଟି ସୁନା କଲିକା ଲଗାଯାଉଥିବା ବେଳେ ଆଗାମୀ ବର୍ଷରେ ଚାନ୍ଦିମେଢକୁ ସମ୍ପୁର୍ଣ ସୁନା ମେଢରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ପୂଜା କମିଟି ।

ସେହିଭଳି ସହରର ଅନ୍ୟତମ ପୂଜା ମଣ୍ଡପ ହେଉଛି ଦରଘାବଜାର ମହାବୀର ପୂଜା କମିଟି।  ଏଠାରେ ମଧ୍ୟ ବହୁ ଇତିହାସ ରହିଥିବା ପ୍ରମାଣ ମିଳିଛି । ବହୁ ବର୍ଷ ପୁର୍ବେ ଏହି ଅଞ୍ଚଳରେ ରୂପ ପୂଜା ପାଇ ଆସୁଥିଲେ। ଏଠାରେ ପୁରୁଣା ଜେଲ୍ ରହିଥିବାରୁ ଜେଲ୍ ପରିସରରେ ଦୁର୍ଗା ପୁଜା ହୋଇଆସୁଥିଲା।

ପରବର୍ତ୍ତୀ କାଳରେ ସାହି ବାସିନ୍ଦା ମାନେ ମିଶି ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି କରି ପୂଜା କରିବାକୁ କହିଥିଲେ ଜେଲର୍। ସେବେ ଠାରୁ ଅର୍ଥାତ ୧୯୯୨ ମସିହାରୁ ମଣ୍ଡପ ସ୍ଥାପିତ କରାଯାଇ ଏହିଠାରେ ମାଙ୍କୁ ପୂଜା କରାଯାଇ ଆସୁଛି। ୨୦୧୭ ମସିହାରୁ ଚାନ୍ଦିମେଢ ଆରମ୍ଭ କରାଯାଇଥିବାବେଳେ ଦୁଇବର୍ଷ ହେବ ମେଢ ଲଗାଯାଇପାରୁ ନାହିଁ ।

ତେବେ ମୂର୍ତ୍ତି କାମ ଶେଷ ହୋଇଥିଲାବେଳେ ଆସନ୍ତାକାଲି ଅମାବାସ୍ୟାରେ ଖଡିଚଢା ଯାଇ ରଙ୍ଗ ଦିଆଯିବ। ତେବେ ଅଷ୍ଟମୀ ଦିନ ପୂଜାର୍ଚ୍ଚନା କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦିଆଯିବ ବୋଲି କହିଛି ପୂଜା କମିଟି।

 

 

 

Comments are closed.