Latest Odisha News

BREAKING NEWS

ଦୁର୍ଗାମେଢ଼ ଭସାଣୀ ସମୟରେ ଅଘଟଣ: ନଦୀରେ ବୁଡି ୧୦ ମୃତ

ଢୋଲପୁର: ରାଜସ୍ଥାନର ଢୋଲପୁରଠାରେ ମଙ୍ଗଳବାର ଦିନ ଦୁର୍ଗାପୂଜା ଭସାଣି ସମୟରେ ଘଟିଛି ଏକ ବଡ଼ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡି ୧୦ ଜଣଙ୍କ ମୃତ୍ୟୁ ଘଟିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ରାଜସ୍ଥାନ ଢୋଲପୁରର ପାର୍ବତୀ ନଦୀରେ ବୁଡି ୧୦ ଜଣ ପ୍ରାଣ ହରାଇଛନ୍ତି । ନଦୀରେ ସ୍ରୋତ ପ୍ରଖର ଥିବା କାରଣରୁ ଘଟଣା ଘଟିବା ସ୍ଥଳରେ ହିଁ ପାଞ୍ଚ ଜଣ ବୁଡି ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ସୁଅରେ ଭାସି ଯାଇଥିବା ରିପୋର୍ଟରେ ପ୍ରକାଶ ।

ଖବରପାଇ ସ୍ଥାନୀୟ ଉଦ୍ଧାରକାରୀ ଏବଂ ଏସଡ଼ିଆରଏଫ ଟିମ ଜିଲ୍ଳା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

ଗଣମାଧ୍ୟମକୁ ସୂଚନାଦେଇ ଢୋଲପୁର ଜିଲ୍ଲାପାଳ ରାକେଶ ଜେସୱାଲ କହିଛନ୍ତି ଯେ, “ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି” ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୃତକ ମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ବିସର୍ଜନ ସମୟରେ ଜଣେ ଯୁବକ ଗାଧୋଇବା ପାଇଁ ନଈ ମଧ୍ୟକୁ ଡେଇଁଥିଲେ । କିନ୍ତୁ ନଦୀରେ ପ୍ରଚୁର ପାଣି ଥିବା ହେତୁ ଯୁବକ ଜଣକ ବୁଡି ଯାଇଥିଲେ । ତାଙ୍କୁ ବୁଡି ଯାଉଥିବାର ଦେଖି ଅନ୍ୟମାନେ ତାଙ୍କୁ ବଞ୍ଚାଇବାକୁ ପାଣି ମଧ୍ୟକୁ ଡେଇଁପଡ଼ିଥିଲେ କିନ୍ତୁ ଲଗାଦାର ବର୍ଷା ଯୋଗୁଁ ନଦୀରେ ପ୍ରଚୁର ପାଣି ହୋଇଯାଇଥିବା ବେଳେ ସେମାନେ ମଧ୍ୟ ବୁଡି ଯାଇଥିବା ଘଟଣାସ୍ଥଳରେ ଉପସ୍ଥିତ ଜଣେ ପୋଲିସ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.