ସାଲେପୁର: କଟକ ଜିଲ୍ଲା ସାଲେପୁରରେ ବସ୍ ଟର୍ମିନାଲ ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ଦାସଙ୍କ ନାମ ସୂଚନା ଫଳକରୁ ବାଦ ପଡ଼ିବାରୁ ଏହାକୁ ତୀବ୍ର ବିରୋଧ କରିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଉଦଘାଟନ ପାଇଁ ଏକତ୍ରିତ ହୋଇଥିବା ଜନସମାଗମ ସମ୍ମୁଖରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ଓ ମହିଳା ସରପଞ୍ଚଙ୍କ ସମର୍ଥକମାନେ ଧସ୍ତାଧସ୍ତି କରିବାରୁ ପରିସ୍ଥିତି ଗମ୍ଭୀର ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ସରପଞ୍ଚ ମଞ୍ଚରେ ପହଞ୍ଚି ବିଧାୟକ ବେହେରାଙ୍କୁ ଚନ୍ଦ୍ରଦେଇପୁର ପଞ୍ଚାୟତରେ ପ୍ରକଳ୍ପ ଉନ୍ମୋଚନ ରୋକିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ସରପଞ୍ଚଙ୍କୁ ଭିଡ଼ ଭିତରୁ ବାହାର କରିଥିଲେ ମଧ୍ୟ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା।
ସରପଞ୍ଚ ରଶ୍ମିତା ଦାସ ଗଣମାଧ୍ୟମକୁ ଦେଇଥିବା ବିବୃତିରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏହି ପ୍ରକଳ୍ପ ମୋ ପଞ୍ଚାୟତରେ ରହିଛି। ଜଣେ ସରପଞ୍ଚ ହିସାବରେ ମୁଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କଣ ଉଚିତ ନୁହେଁ। ଏସବୁ ମୋ ଅଜାଣତରେ କରାଯାଇଛି ଫଳକରୁ ମୋର ନାମ ରଖାଯାଇନି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପଞ୍ଚାୟତର ଲୋକଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ ନଥିବାରୁ ସେ ଉଦଘାଟନକୁ ବିରୋଧ କରିଛନ୍ତି।
ଏହି ବିବାଦ ଉପରେ ପ୍ରତିକ୍ରିୟା ରଖି ବିଧାୟକ ପ୍ରଶାନ୍ତ ବେହେରା କହିଛନ୍ତି, ସୂଚନା ଫଳକରେ କାହା ନାଁ ଲେଖାଯିବ ତାହା ସ୍ଥିର କରିବା ପରିବହନ ବିଭାଗର ଦାୟିତ୍ୱ। ବିଭାଗୀୟ ଅଧିକାରୀମାନେ ସେହି ଦିଗପ୍ରତି ଦୃଷ୍ଟି ଦେବେ। ଏହି ପ୍ରସଙ୍ଗରେ ମୋର କିଛି କହିବାର ନାହିଁ।
Comments are closed.