Latest Odisha News

ହେବ କି ଆଗୁଆ ନିର୍ବାଚନ ? ନେତାଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନକୁ ନେଇ ବଢିଲା ରାଜନୈତିକ ତାତି । ରାଜ୍ୟ ବିଧାନସଭା ନର୍ବାଚନ ଆଗୁଆ ହେବାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାକୁ ବଳ ଯୋଗାଉଛି ନେତାଙ୍କ ବୟାନ । ଏବେ ତିନି ଦଳର ବିଧାୟକ, ସାଂସଦ ଅମର ଶତପଥୀ, ତାରା ପ୍ରସାଦ ବାହିନୀପତି ଏବଂ ପ୍ରତାପ ଷଡଙ୍ଗୀ ବୟାନ ଜାରି କରିବା ପରେ  ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ଆଲୋଚନା ଜୋର ଧରିଛି । ତା ଛଡା, ବିଧାନସଭା ମୌସୁମୀ ଅଧିବେଶନ ଯେହେତୁ ବିଳମ୍ବ ହେଉଛି ତେଣୁ ସେପ୍ଟେମ୍ବରରେ ସରକାର ବିଧାନସଭା ଭାଙ୍ଗି ଦେଇ ଆଗୁଆ ନିର୍ବାଚନ କରପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ଆଗୁଆ ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ସାଂସଦ ପ୍ରତାପ ଷଡଙ୍ଗୀ ମୁହଁ ଖୋଲିଛନ୍ତି । ଆଗୁଆ ନିର୍ବାଚନର ବୈଧତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନ ଏକ ସମୟରେ ହେବା ଉଚିତ  । ଆଗୁଆ ନିର୍ବାଚନ କାହିଁକି ହେବ ? ଏହା କେବଳ ରାଜକୋଷର ଖର୍ଚ୍ଚକୁ ବଢାଇବ ଯାହା । ଏହାବ୍ୟତୀତ ନିର୍ବାଚନ ଆଚରଣ ବିଧି  ଲାଗୁ ହେବାରେ ଅଧିକ ସମୟ ମଧ୍ୟ ନଷ୍ଟ ହେବ  । ଉନ୍ନୟନମୂଳକ କାମ ପ୍ରଭାବିତ ହେବ । ତେଣୁ ଆଗୁଆ ନିର୍ବାଚନ କୌଣସି ଦୃଷ୍ଟିରୁ ଠିକ ନୁହେଁ ବୋଲି କହିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ତେବେ ଯଦି ରାଜ୍ୟ ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ରାଜ୍ୟ କଂଗ୍ରେସ ଆଗୁଆ ନିର୍ବାଚନ ନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛି ଏହା ବିଜେଡି ସପକ୍ଷରେ ଯିବ । ଏ ନେଇ ଗତ ତିନି ଦିନ ଧରି ଆମେ ବୈଠକ କରି ଆଲୋଚନା କରି ଆସୁଛୁ । ଆଗୁଆ ନିର୍ବାଚନ ହେଲେ କଂଗ୍ରେସ ଏହାର ଭରପୂର ଫାଇଦା ଉଠାଇବ ବୋଲି କହିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।

ଅନ୍ୟପକ୍ଷେ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟ ନବୀନ ପଟ୍ଟନାୟକ ଆଗୁଆ ନିର୍ବାଚନ ନେଇ ନିଷ୍ପତ୍ତି ନେବେ । ନିର୍ବାଚନ ଆଗୁଆ ହେଉ ବା ଠିକ ସମୟରେ ହେଉ, ଏଥିପାଇଁ ଜନ ସମର୍ଥନ ଲୋଡା । ତେଣୁ ଆମ ପ୍ରତି ଜନସମର୍ଥନ ରହିଛି । ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଫଳପ୍ରଦ ହୋଇଛି । ଲୋକମାନେ ଏହି ଯୋଜନାରୁ ଭରପୂର ଲାଭ ପାଉଥିବା କହୁଛନ୍ତି । ତେଣୁ ଆଗୁଆ ନିର୍ବାଚନ ହେଲେ ଏହା ଆମ ସପକ୍ଷରେ ଯିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

Comments are closed.