ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଖେଳାଯିବ । ଏହି ସିରିଜକୁ ଭାରତର ମହାନ ଖେଳାଳି ପଟୌଦ୍ଦିଙ୍କ ନାମରେ ପଟୌଦ୍ଦି ଟ୍ରଫି ରଖାଯାଇଛି । ରିପୋର୍ଟ ମୁତାବକ ଏବେ ଏହି ସିରିଜର ନାମ ବଦଳାଯିବ । ଏହା ଅନ୍ୟ ଜଣେ ମହାନ ଖେଳାଳିଙ୍କ ନାମରେ ନାମିତ କରାଯିବ । ତେବେ ଏହାକୁ ବଦଳାଯିବାର କାରଣ ସମ୍ପର୍କରେ ଇସିବି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି । ଅବଶ୍ୟ କେଉଁ ଖେଳାଳିଙ୍କ ନାମରେ ଏହା ହେବ ତାହା ଘୋଷଣା କରାଯାଇ ନାହିଁ । ୨୦୦୭ରୁ ପଟୌଦ୍ଦି ଟ୍ରଫିର ଆରମ୍ଭ ହୋଇଥିଲା । ଦୀର୍ଘ ଦିନ ପରେ ଇସିବି ଏହି ଟ୍ରଫିକୁ ଅବସର ଦେବା ପାଇଁ ନିଷ୍ପତି ନେଇଛି । ଉଭୟ ଦେଶର ଦୁଇ ମହାନ ଖେଳାଳିଙ୍କ ମିଳିତ ନାମରେ ମଧ୍ୟ ଏହାକୁ ନାମିତ କରାଯିବା ସମ୍ଭାବନା ରହିଛି ।
କିଛି ଦିନ ତଳେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୱିଜଡନ ଟ୍ରଫିକୁ ଏବେ ରିଚାର୍ଡ୍ସ-ବୋଥାମ ଟ୍ରଫି ଭାବେ ନାମିତ କରାଯାଇଛି । ସୂଚନାଯୋଗ୍ୟ, ଭାରତର ପୂର୍ବତନ ଅଧିନାୟକ ପଟୌଦ୍ଦି ତାଙ୍କ କ୍ୟାରିୟରରେ ୪୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୬ ଶତକ ଓ ୧୬ ଅର୍ଦ୍ଧଶତକ ସହାୟତାରେ ୨୭୯୩ ରନ କରିଥିଲେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିରିଜକୁ ବର୍ଡର-ଗାଭାସ୍କର ଟ୍ରଫି ଭାବେ ନାମିତ କରାଯାଇଛି ।
Comments are closed.