ଭୁବନେଶ୍ୱର: ଭୁବନେଶ୍ୱରରେ ଅନମୋଲ ମାଇନ୍ସ ପ୍ରାଇଭେଟ ଲିମିଟେଡ (AMPL) ଏବଂ ଅନମୋଲ ରିସୋର୍ସେସ ପ୍ରାଇଭେଟ ଲିମିଟେଡ (ARPL) ଏବଂ ସେମାନଙ୍କର ପରିଚାଳନା ନିର୍ଦ୍ଦେଶକ ଶକ୍ତି ରଞ୍ଜନ ଦାଶଙ୍କ ପରିସରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରି ଏକ ଡଜନରୁ ଅଧିକ ଦାମୀ କାର ଜବତ କରିଛନ୍ତି।
ହିମାଚଳ ପ୍ରଦେଶର ଇଣ୍ଡିଆନ୍ ଟେକ୍ନୋମ୍ୟାକ୍ କମ୍ପାନୀ ଲିମିଟେଡ (ITCOL) ବିରୁଦ୍ଧରେ ୧୩୯୬ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଏହା ଜଡିତ ଥିବା ନେଇ ସୂତ୍ରରୁ ଜଣା ପଡ଼ିଛି।
ITCOL ଏବଂ ଏହାର ପ୍ରମୋଟରମାନଙ୍କ ବିରୁଦ୍ଧରେ ହିମାଚଳ ପ୍ରଦେଶର ସିଆଇଡି ପାଖରେ ଏକ ଅଭିଯୋଗ ହୋଇଥିଲା। ଯେଉଁଥିରେ ଏହି କମ୍ପାନୀ ଗୁଡ଼ିକର ନିର୍ଦ୍ଦେଶକମାନେ ବିଭିନ୍ନ କମ୍ପାନୀ ଏବଂ CA କର୍ମଚାରୀଙ୍କ ସହ ମିଶି ବ୍ୟାଙ୍କଗୁଡ଼ିକର ଏକ ସଂଘ ପକ୍ଷରୁ ଋଣ ହଡ଼ପ କରୁଥିବା ନେଇ କୁହାଯାଇଥିଲା। ITCOL ୨୦୦୯ରୁ ୨୦୧୩ ମଧ୍ୟରେ ବ୍ୟାଙ୍କଗୁଡ଼ିକ ସମ୍ମୁଖରେ ଜାଲି କାଗଜପତ୍ର ଦାଖଲ କରି ଓ ନକଲି ବିକ୍ରୟ ଦେଖାଇ ଡମି/ସେଲ୍ କମ୍ପାନୀଗୁଡ଼ିକ ଋଣ ପାଇଥିବା ନେଇ ଇଡି ରବିବାର ଦିନ ପ୍ରକାଶ କରିଛି।
ଇଡି ପୂର୍ବରୁ ଏହି ମାମଲାରେ ୩୧୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା। ଏପ୍ରିଲରେ ବ୍ୟାଙ୍କଗୁଡ଼ିକୁ ୨୮୯ କୋଟି ଟଙ୍କାର ସମ୍ପତ୍ତି ଫେରାଇସାରିଥିବା ନେଇ ସୂଚନା ମିଳିଛି।
ଚଢ଼ଉ ସମୟରେ ତାଙ୍କ ନାମରେ ଥିବା ୧୦ ଟି ବିଳାସପୂର୍ଣ୍ଣ ଗାଡ଼ି ଏବଂ ତିନୋଟି ସୁପର ବାଇକ୍ ଜବତ କରାଯାଇଥିଲା। ଏଥିସହିତ ଦୁଇଟି ଲକରକୁ ମଧ୍ୟ ଫ୍ରିଜ୍ କରାଯାଇଛି। ତାଙ୍କ ପାଖରୁ ଏକ ପୋର୍ସେ କାୟେନ୍, ଏକ ମର୍ସିଡିଜ୍-ବେଞ୍ଜ୍ GLC, ଏକ BMW X7, ଏକ ଅଡି ଏ ୩, ଏକ ମିନି କୁପର୍ ଏବଂ ଏକ ହୋଣ୍ଡା ଗୋଲ୍ଡ ୱିଙ୍ଗ ବାଇକ୍ ମିଳିଛି। ଯାହାର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ଥିବା ନେଇ ଆକଳନ କରାଯାଉଛି। ଏହା ବ୍ୟତୀତ ୧୩ ଲକ୍ଷ ଟଙ୍କା ନଗଦ ଏବଂ ୧.୧୨ କୋଟି ଟଙ୍କାର ଅଳଙ୍କାର ମଧ୍ୟ ଜବତ କରାଯାଇଛି।
Comments are closed.