Latest Odisha News

BREAKING NEWS

ଚାକିରିକୁ ବାଏ ବାଏ କରି ରାଜନୀତିରେ ପାଦ ଥାପିଲେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ

ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ପଂଚାୟତ ନିର୍ବାଚନରେ ପୂର୍ବରୁ ଯେଉଁ ପରମ୍ପରା ରହିଥିଲା ତାହା ଧିରେ ଧିରେ ଭଙ୍ଗ ହେଉଥିବା ଦେଖିବାକୁ ମିଳିଛି । ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରୀକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ଦେଖିବାକୁ ମିଳିଛି । ଆଉ ଏହି ନବାଗତଙ୍କ ଲଢେଇ ଅନେକ ଅନୁଭବି ତଥା ରାଜନୀତିର ପୋଖତ ଖେଳାଳୀଙ୍କ ସହ ହେଉଛି ।

ଭଲ ପାଠ ପଢି କିଏ ଚାକିରି ପାଇ ଛାଡିଛି ତ ଆଉ କିଏ ଚାକିରି ମିଳିବାପରେ ତାହାକୁ ଗ୍ରହଣ ନକରି ରାଜନୀତିରେ ପ୍ରବେଶ କରିଛି । ସେହିଭଳି ଜଣେ ପ୍ରାର୍ଥିନୀ ହେଲେ ଟୁନି ହୁଇକା । ରାୟଗଡ଼ା ବ୍ଳକ କାମ୍ପମାଲିଗାଁ ପଂଚାୟତର ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ୨୫ ବର୍ଷୀୟା ଟୁନି ଏମବିଏ(ଅର୍ଥ) ପାସ୍ କରି ବ୍ୟାଙ୍କ ଚାକିରି ପାଇଁ ମନ ବଳାଇଥିଲେ । ନିଜର ଉଦ୍ୟମ ଯୋଗୁଁ ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି ପାଇବା ପାଇଁ ନିକଟରେ ମନୋନୀତ ମଧ୍ୟ ହୋଇଥିଲେ । ହେଲେ ଆଉ ଚାକିରି ପାଇଁ ନଯାଇ ବର୍ତମାନ ନିର୍ବାଚନ ଲଢ଼ୁଥିବା ଦେଖିବାକୁ ମିଳିଛି । କାମ୍ପମାଲିଗାଁ ପଂଚାୟତର ସମିତି ସଭ୍ୟ ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ସର୍ବ କନିଷ୍ଠ ପ୍ରାର୍ଥିନୀ ଭାବେ ମଇଦାନରେ ଲାଢୁଛନ୍ତି ଟୁନି ।

ସେହିଭଳି ଆଉ ଜଣେ ଯୁବକ ହେଲେ ରବିଶଙ୍କର ଗମାଙ୍ଗ । ପୋଲିସ୍ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଅଧ୍ୟୟନ, ଶେଷପରେ ପୋଲିସ ଇନ୍ସପେକ୍ଟର ଚାକିରି କରିଥିଲେ । ୨୦୧୦ ମସିହାରେ ସବଇନ୍ସପେକ୍ଟର ଚାକିରିରେ ଯୋଗଦେଇ ୨୦୧୭ ମସିହାରେ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ହେଲେ ୨୦୧୮ ମସିହାରେ ସେ ନିଜର ଚାକିରିରୁ ଇସ୍ତଫା ଦେଇ ବର୍ତମାନ ରାଜନୀତିରେ ନିଜକୁ ସାମିଲ କରିଛନ୍ତି । ରାଜନୀତିରେ ପଦ ଥାପି ରାମନାଗୁଡା ବ୍ଲକ ଉକୁମ୍ବା ପଂଚାୟତର ସମିତିସଭ୍ୟ ଭାବେ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି ।

୩୯ ବର୍ଷିୟ ରବି ନିଜ ଅଂଚଳର ଉନ୍ନତି ଓ ନିଜର ଆଦିବାସୀ ସମ୍ପ୍ରଦାୟର ବିକାଶ କରିବା ପାଇଁ ରାଜନୀତରେ ପାଦ ଦେଇଥିବା କହିଛନ୍ତି । ଏଭଳିକି ଲୋକେ ତାଙ୍କୁ ସାଦରେ ଗ୍ରହଣ କରୁଥିବା ମଧ୍ୟ ନଜରକୁ ଆସିଛି । ଫଳରେ ସେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ।

ଅପରପକ୍ଷରେ ରାଜନୀତି ନିଶା ଥରେ ଜଣକୁ ଲାଗିଲେ ତାହା ଛାଡିବା ମୁସ୍କିଲ । ସର୍ବଦା ନିଜକୁ ରାଜନୀତି ଓ କ୍ଷମତା ଭିତରେ ରହିବା ପାଇଁ ବ୍ୟକ୍ତି ଚାହିଁଥାଏ । ଯାହା ନଜରକୁ ଆସିଛି ରାୟଗଡା ବ୍ଲକରେ । ଏହି ବ୍ଲକର ଅଧ୍ୟ ପେଦେଂଟି ରାମୁଲୁ ବର୍ତମାନ ସରପଂଚ ଭାବେ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ରାୟଗଡା ବ୍ଲକ ଚାନ୍ଦିଲି ପଂଚାୟତର ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ଲଢୁଛନ୍ତି । ୧୯୯୨ ମସିହାରୁ ରାମୁଲୁ ରାଜନୀତିରେ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ଆନୁଗତ୍ୟ ତଥା ଜଣେ ଦୃଢ ସମର୍ଥକ ଭାବେ ସେ ପରିଚିତ । ୧୯୯୨ ମସିହାରେ ରାମୁଲୁ ପ୍ରଥମେ କୁମୁଟୁପେଣ୍ଠ ସରପଂଚ, ୨୦୦୨ ମସିହାରେ ରାୟଗଡା ‘ଗ’ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ, ୨୦୧୨ ମସିହାରେ ଚାନ୍ଦିଲି ସରପଂଚ, ୨୦୧୭ରେ ଚାନ୍ଦିଲି ପଂଚାୟତରୁ ସମିତିସଭ୍ୟ ଭାବେ ବିଜୟଲାଭ କରି ବ୍ଲକ ଅଧ୍ୟକ୍ଷ ରହିଥିଲେ । ଆଉ ବର୍ତମାନ ସେହି ଚାନ୍ଦିଲି ପଂଚାୟତରୁ ସରପଂଚ ଭାବେ ନିର୍ବାଚନ ଲଢୁଛନ୍ତି । ନିଜ ଅଂଚଳର ଲୋକଙ୍କ ସେବା କରିବା ପାଇଁ ନିର୍ବାଚନ ଲଢୁଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ହେଲେ ବ୍ଲକ ଅଧ୍ୟକ୍ଷ ଭଳି ଏତେ ବଡ ପଦବୀରେ ରହିବା ପରେ ପୁଣି ସରପଂଚ ହେବାକୁ ମନ ବଳାଇବା ସମସ୍ତଙ୍କୁ ଚକିତ କରିଛି ।

Comments are closed, but trackbacks and pingbacks are open.