Latest Odisha News

BREAKING NEWS

ଓଡ଼ିଶାରେ ଘର, ଆନ୍ଧ୍ରରେ ବିଦ୍ୟାଳୟ : ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରେ ପଡୁଛି ତାଲା , ପାଠ ପଢାରେ ସମସ୍ୟା

ବ୍ରହ୍ମପୁର: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳ ଯଥା ଗଞ୍ଜାମ ଜିଲାର ପାତ୍ରପୁର ବ୍ଳକରେ ଗୋଟିଏ ପରେ ଗୋଟିଏ ଓଡ଼ିଆ ବିଦ୍ୟାଳୟ ବନ୍ଦ ହେବାରେ ଲାଗିଛି ।  ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଯୋଗୁ ଅନେକ ବିଦ୍ୟାଳୟରେ ତାଲା ପଡ଼ିଲାଣି । ଅପରପକ୍ଷେ ଓଡ଼ିଶାର ପିଲାମାନେ ନିକଟସ୍ଥ ଆନ୍ଧ୍ରର ବିଦ୍ୟାଳୟ ଗୁଡ଼ିକରେ ନାଁ ଲେଖାଉଛନ୍ତି । ଘର ଓଡ଼ିଶାରେ ହୋଇଥିଲେ ମଧ୍ୟ ଆନ୍ଧ୍ରର ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।

ପାତ୍ରପୁର ବ୍ଲକ ଗୁଡିପଦର ପଞ୍ଚାୟତ। ସଂପ୍ରତି ପ୍ରାୟ ୪ ଶହ ପରିବାର ବସବାସ କରୁଛନ୍ତି । ଏହି ପଞ୍ଚାୟତର ଗୁଡ଼ିପଦର ଗ୍ରାମରେ ୧୯୫୪ ମସିହା ଏବଂ ବଳରାମପୁର ଗ୍ରାମରେ ୧୯୫୫ ମସିହାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଗୁଡିପଦର ପିଲାଏ ପଞ୍ଚମ ପରେ ପ୍ରାୟ ୪କିଲୋମିଟର ଦୂର ବି.ନୂଆଗାଁ ବିଦ୍ୟାଳୟରେ ଷଷ୍ଠରୁ ଏକାଦଶ ପର୍ଯ୍ୟନ୍ତ ପଢିବାକୁ ଯାଉଥିଲେ ।

ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଶିକ୍ଷା ବ୍ୟବସ୍ଥା ଯେମିତି ଭୁଷୁଡି ପଡ଼ିଛି। ଗାଁକୁ ଭଲ ରାସ୍ତାଟିଏ ନଥିବା ବେଳେ ଅଧିକାଂଶ ପିଲା ପାଠପଢାରେ ବାନ୍ଧୁଛନ୍ତି ଡୋରୀ।  ୨୦୧୨ ମସିହାରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷକ ଅଭିଯାନରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନୀତ ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବାର ବ୍ୟବସ୍ଥା ହୋଇଥିଲା । ତେବେ ବିଦ୍ୟାଳୟକୁ ଆସୁଥିବା ତେଲୁଗୁ ପିଲାଙ୍କୁ ଶିକ୍ଷାଦାନ ପାଇଁ ତେଲୁଗୁ ଶିକ୍ଷକ ଓ ପାଠ୍ୟପୁସ୍ତକ ଠିକ ଭାବେ ନମିଳିବାରୁ ପିଲା ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା ।

ଗୁଡିପଦର ବିଦ୍ୟାଳୟର ଏପରି ଅବସ୍ଥା ଦେଖି ଏହି ଗ୍ରାମକୁ ଲାଗି ରହିଥିବା ଆନ୍ଧ୍ର ପ୍ରଦେଶର ଶ୍ରୀକୁଲମ ଜିଲାର ଖଜୁରିଆ, ଶାସନ ଏବଂ ଇଚ୍ଛାପୁରସ୍ଥିତ ବିଦ୍ୟାଳୟକୁ ଯାଉଛନ୍ତି। ସେଠାକୁ ଓଡ଼ିଆ ପିଲାଙ୍କ ସୁଅ ଛୁଟିବାରୁ ପରବର୍ତ୍ତୀ ସମୟରେ ଉକ୍ତ ବିଦ୍ୟାଳୟର କେତେକକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯାଇଛି । ଏହି କାରଣରୁ ୪ବର୍ଷ ତଳେ ଗୁଡିପଦର ବିଦ୍ୟାଳୟଟି ବନ୍ଦ ହୋଇଗଲା। ଅପରପକ୍ଷେ ବଳରାମପୁର ବିଦ୍ୟାଳୟକୁ କରୋନା ପରେ ପିଲା ଆସିବା ହ୍ରାସ ପାଇଥିଲା। ଚଳିତବର୍ଷ ପିଲାସଂଖ୍ୟା ଦୁଇଅଙ୍କ ଛୁଇଁ ପାରିନଥିଲା। ଦୁଇଜଣ ଶିକ୍ଷକ ବସି ବସି ଫେରିବା ଦେଖି ଉଭୟଙ୍କୁ ଅନ୍ୟ ବିଦ୍ୟାଳୟକୁ ପଠାଇ ଦେବା ପରେ ଏବେ ବିଦ୍ୟାଳୟରେ ତାଲା ଝୁଲୁଛି।

ବିଭିନ୍ନ କାରଣରୁ ଗତ କିଛିବର୍ଷ ମଧ୍ୟରେ ପାତ୍ରପୁର ବ୍ଳକର ୪୧ ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇ ଯାଇଛି। ଗୁଡିପଦର ପଞ୍ଚାୟତ ନିକଟ ବି.ନୂଆଗାଁ ପଞ୍ଚାୟତରେ ୫ଟି ବିଦ୍ୟାଳୟ ବନ୍ଦ ହୋଇ ଯାଇଥିବା ବେଳେ ଜୟନ୍ତୀପୁର ପଞ୍ଚାୟତରେ ୩ଟି, ବରଙ୍ଗ, ଖମ୍ବାରିଗାଁ ଓ ସାମନ୍ତିଆପଲ୍ଲୀ ପଞ୍ଚାୟତର କେତେକ ବିଦ୍ୟାଳୟ ବନ୍ଦ ହୋଇଯାଇଛି।

ପାତ୍ରପୁର ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ପ୍ରୋତ୍ସାହନରେ ବେସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ସାଙ୍ଗକୁ ନିଜ ପିଲାଙ୍କୁ ଘରୋଇ ବିଦ୍ୟାଳୟକୁ ପଠାଇବା ଯୋଗୁ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା ହ୍ରାସ ପାଇବାର ପ୍ରମୁଖ କାରଣ ବୋଲି କୁହାଯାଉଛି। କେତେକ ନକଲି ଶିକ୍ଷକ ଧରା ପଡି ଚାକିରି ମଧ୍ୟ ହରାଇଛନ୍ତି। ଓଡ଼ିଆ ଜାଣି ନଥିବା କେତେକଙ୍କୁ ଶିକ୍ଷକ ନିଯୁକ୍ତି ଦିଆଯାଇଛି। କେତେକ ଶିକ୍ଷକ ଚାକିରି ଛାଡି ଆନ୍ଧ୍ରରେ ପୁଣି ଚାକିରି କରୁଛନ୍ତି।

ଗତ କିଛି ଦିନ ପୂର୍ବେ ୨ଜଣ ଶିକ୍ଷକ ଇସ୍ତଫା ଦେଇଥିଲେ । ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟର ଉନ୍ନତି କରୁଥିବା ବେଳେ କେଉଁ କାରଣରୁ ପାତ୍ରପୁର ବ୍ଲକରେ ବିଦ୍ୟାଳୟଗୁଡିକ ବନ୍ଦ ହେବାରେ ଲାଗିଛି ତାହାର ପ୍ରକୃତ କାରଣ ଖୋଜିବା ସହ ଉଚ୍ଚସ୍ତରୀୟ କମିଟି ଦ୍ବାରା ତଦନ୍ତ କରାଯିବାକୁ ଦାବି ହୋଇଛି।

Leave A Reply

Your email address will not be published.