ଭୁବନେଶ୍ୱର: ଓଡିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ପୂର୍ବତନ ଶିକ୍ଷା ଗବେଷଣାର ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଆଦର୍ଶ ଶିକ୍ଷକ ପ୍ରଫେସର ଡଃ ବଂଶୀଧର ତ୍ରିପାଠୀଙ୍କର ସୋମବାର ଦିନ ସନ୍ଧ୍ୟା ୯.୪୩ ମିନିଟ୍ରେ ସମ୍ ହସ୍ପିଟାଲ ଠାରେ ମୃତ୍ୟୁ ହୋଇଛି।
କୋଭିଡ୍ ଗାଇଡ୍ଲାଇନ୍ ମତେ ମଙ୍ଗଳବାର ପୂର୍ବାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଠି ସଂସ୍କାର କାର୍ଯ୍ୟ କରାଯାଇଥିଲା । ଅନ୍ତ୍ୟେଷ୍ଠି ସଂସ୍କାର ସମୟରେ ଡଃ ତ୍ରିପାଠୀଙ୍କ ତିନି ଝିଅ ଶ୍ରୀମତୀ ବିୟୋତ୍ପ୍ରଜ୍ଞା, ଶ୍ରୀମତୀ ବିଜ୍ଞାନପ୍ରଜ୍ଞା, ଡଃ ବିମୋଚପ୍ରଜ୍ଞା ଏବଂ ଜ୍ୱାଇଁ ଡାକ୍ତର ବିରଂଚି ନାରାୟଣ ପାଣି ଉପସ୍ଥିତ ଥିଲେ । ଡଃ ତ୍ରିପାଠୀ ୧୯୩୩ ମସିହାରେ ଗଞ୍ଜାମ ଜିଲ୍ଲା କ୍ଷେତ୍ରିୟବରପୁର ଠାରେ ଜନ୍ମଗ୍ରହଣ କରିଥିଲେ ।
ଡଃ ତ୍ରିପାଠୀଙ୍କ ବିୟୋଗରେ ତାଙ୍କର ଛାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଭୀର ଶୋକ ପ୍ରକାଶ କରି ଏକ ଶୋକବାର୍ତାରେ କହିଛନ୍ତି ଯେ ଓଡିଶାର ଶିକ୍ଷା ଜଗତରେ ଡଃ ତ୍ରିପାଠୀ ଥିଲେ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ । ୧୯୭୫ ମସିହାରେ ଶିକ୍ଷାରେ ମନୋବିଜ୍ଞାନ ଉପରେ ଋଷିଆ ଦେଶର ଲେଲିନ୍ ଗ୍ରାଡ୍ ବିଶ୍ୱ ବିଦ୍ୟାଳୟରୁ ଗବେଷଣା କରି ପି.ଏଚ୍.ଡି. ଡିଗ୍ରୀ ଲାଭ କରିଥିଲେ ।
ଅଧ୍ୟାପନା କ୍ଷେତ୍ରରେ ତାଙ୍କର ନିଷ୍ଠା ଆଜିର ଶିକ୍ଷା କ୍ଷେତ୍ରରେ ବିରଳ । ଡଃ ତ୍ରିପାଠୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପଦ୍ମଶ୍ରୀ ଡଃ ପ୍ରତିଭା ରାୟ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଶିକ୍ଷାବିତ୍ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଶିକ୍ଷାବିତ୍ ଡଃ ବଦ୍ରିନାଥ ପଟ୍ଟନାୟକ, ଡଃ ସୌରେନ୍ଦ୍ର ମହାପାତ୍ର, ସମାଜସେବୀ ସୀତାବଲ୍ଲଭ ମହାପାତ୍ର, ଡଃ ବୁଦ୍ଧଦେବ ମିଶ୍ର, ଡଃ ଯୁଧିଷ୍ଠିର ଖଟୁଆ, ଡଃ କଳ୍ପଲତା ପତ୍ରୀ, ଓଡିଶା ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଂଜନ ସ୍ୱାଇଁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରି ଡଃ ତ୍ରିପାଠୀ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଛନ୍ତି ।
ଆସନ୍ତା ୭ ତାରିଖ ଶନିବାର ପୂର୍ବାହ୍ନ ୯ ଘଂଟା ସମୟରେ ବୁଦ୍ଧ ମନ୍ଦିର ଠାରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଡଃ ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯିବ ବୋଲି ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି ।
Comments are closed.