Latest Odisha News

BREAKING NEWS

ଝଲସିବ ଏକାମ୍ରକ୍ଷେତ୍ର; ୨ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ଲକ୍ଷ ଲୋକ ଏକାଠି ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି।

BjdElectrycity

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା।

ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି।

ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ।

ଶିବରାତ୍ରି ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ।

ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ କାଉଡିଆ ଶ୍ରୀ ଲିଙ୍ଗରାଜ ମନ୍ଦିର ଆସିଥିବା ବେଳେ ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି।

ସେହିପରି ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରରୁ ଲିଙ୍ଗରାଜ ମନ୍ଦିର ଓ ରଥଗଢା ଠାରୁ ଚଦନ ଯାତ୍ରା ତୀର୍ଥଯାତ୍ରୀ ମାନେ ସିଧା ଦେଖିପାରିବେ।

ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ।

ଐତିହାସିକ ଦଲିଲରୁ ଜଣାଯାଏ ଯେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର‌୍ୟ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା। ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି।

ଅନନ୍ୟ କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ୟୁନେସ୍କୋର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ବରକୁ ସ୍ଥାନିତ କରିବା ପାଇଁ ଦାବୀକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଏ।

ଏକାମ୍ରକ୍ଷେତ୍ରର ସାଂସ୍କୃତିକ ଐତିହ୍ୟର ଅନ୍ୟତମ ଆକର୍ଷଣ, ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ, ଅଶୋକାଷ୍ଟମୀ ରଥଯାତ୍ରା ଓ ଶୀତଳ ଷଷ୍ଠୀକୁ ନ୍ୟାସନାଲ ଫେଷ୍ଟିଭାଲ କ୍ୟାଲେଣ୍ଡରରେ ସ୍ଥାନିତ ପାଇଁ ପଦକ୍ଷେପ ନିଆଯିବା ନେଇ ସୁତ୍ରରୁ ପ୍ରକାଶ।

 

Leave A Reply

Your email address will not be published.