ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ସାଇବର ଅପରାଧୀଙ୍କ ଦ୍ୱାରା ଠକାମିର ଶିକାର ହୋଇ ଜଣେ ବୟସ୍କ ଦମ୍ପତି ନିଜ ଜୀବନ ହାରିଛନ୍ତି। ୮୩ ବର୍ଷୀୟ ଦିୟାଙ୍ଗୋ ନଜାରତ ନିଜ ଗଳା କାଟି ଆତ୍ମହତ୍ୟା କରିଥିବା ବେଳେ, ତାଙ୍କ ସ୍ତ୍ରୀ ୭୯ ବର୍ଷୀୟ ପ୍ଲେୟଭିଆନା ନଜାରତ ବିଷ ପିଇ ପ୍ରାଣ ହରାଇଛନ୍ତି। ଏହି ଦମ୍ପତି ସାଇବର ଠକଙ୍କ ହାତରେ ୫୦ ଲକ୍ଷରୁ ଅଧିକ ଟଙ୍କା ହରାଇବା ପରେ ହତାଶା ଓ ଭୟରେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଘଟଣା ପୂର୍ବରୁ ସେମାନେ ଏକ ଆତ୍ମହତ୍ୟା ନୋଟ୍ ଲେଖିଥିଲେ, ଯେଉଁଥିରେ ଠକଙ୍କ ଧମକ ଓ ନିରାଶାର କାରଣ ଉଲ୍ଲେଖ କରିଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଠକମାନେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ପରିଚୟ ଦେଇ ଏହି ଦମ୍ପତିଙ୍କୁ ଭିଡିଓ କଲ୍ ମାଧ୍ୟମରେ ସମ୍ପର୍କ କରିଥିଲେ। ସେମାନେ ଦାବି କରିଥିଲେ ଯେ ଦମ୍ପତିଙ୍କ ମୋବାଇଲ ନମ୍ବର ଓ ପରିଚୟ ପ୍ରମାଣପତ୍ର କୌଣସି ଅପରାଧିକ ମାମଲାରେ ଜଡ଼ିତ ହୋଇଛି। ଏହି ମିଛ ଅଭିଯୋଗରୁ ମୁକ୍ତି ପାଇବା ପାଇଁ ସେମାନେ ପ୍ରଥମେ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ମହାରାଷ୍ଟ୍ର ସଚିବାଳୟରୁ ଅବସରପ୍ରାପ୍ତ ଏହି ଦମ୍ପତି କିଛି ଟଙ୍କା ଦେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ଠକ ଆଉ ପାଦେ ଆଗକୁ ବଢ଼ିଥିଲେ। ସେମାନେ ଲଗାତାର ଧମକ ଦେଇ ଅଧିକ ଟଙ୍କା ଆଦାୟ କରିଚାଲିଥିଲେ, ଯାହା ଶେଷରେ ୫୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲା।
ଏହି ଦମ୍ପତିଙ୍କର କୌଣସି ସନ୍ତାନ କିମ୍ବା ନିକଟ ପରିବାର ନଥିଲେ। ସେମାନେ ଏହି ଧମକ ଓ ଠକେଇ ବିଷୟରେ କାହାକୁ କିଛି ନ କହି ଏକାକି ଏହାର ମୁକାବିଲା କରିବାକୁ ଚେଷ୍ଟା କରିଥିଲେ। ପ୍ରାରମ୍ଭରେ ଏହାକୁ ହତ୍ୟା ମାମଲା ବୋଲି ସନ୍ଦେହ କରାଯାଇଥିଲା। କିନ୍ତୁ ପୋଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ୍ ଉଦ୍ଧାର କରିବା ସହ ଦମ୍ପତିଙ୍କ ମୋବାଇଲ ରେକର୍ଡ ଯାଞ୍ଚ କରିବା ପରେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ ହୋଇଛି। ମୃତଦେହ ଦୁହିଁଙ୍କୁ ବେଲାଗାଭି ବିଆଇଏମଏସ୍ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ନନ୍ଦଗାଡର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଆମେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଯାଞ୍ଚ କରୁଛୁ ଓ ଠକାମିରେ ହରାଇଥିବା ସଠିକ ରାଶି ହିସାବ କରୁଛୁ। ଏହା ଏକ ଗମ୍ଭୀର ମାମଲା ଏବଂ ଏହାର ତଦନ୍ତ ଚାଲିଛି।” ସାଇବର ଅପରାଧୀଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୋଲିସ ପ୍ରୟାସ କରୁଛି।
Comments are closed.