ଭୁବନେଶ୍ୱର: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ବିକଟାଳ ଶବ୍ଦ ଯୋଗୁଁ ଜଣେ ବୃଦ୍ଧ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି। ବିଭିନ୍ନ ପର୍ବପର୍ବାଣୀ ଓ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଡେସିବଲ ବାଦ୍ୟ ଉପରେ କମିସନରେଟ୍ ପୁଲିସର କଟକଣା ସତ୍ତ୍ୱେ ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି।
ଗୁରୁତର ଅବସ୍ଥାରେ ବିଜୟ ରାମ ପଣ୍ଡାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପଣ୍ଡା ଜଣେ ହୃଦରୋଗୀ ହୋଇଥିବା ବେଳେ ଉଚ୍ଚ ସ୍ୱରରେ ଗୀତ ବାଜିବା ଯୋଗୁଁ ତାଙ୍କ ହୃଦଘାତ ହୋଇଥିଲା ବୋଲି ତାଙ୍କ ପରିବାର ଲୋକେ ବିଶ୍ୱାସ କରୁଛନ୍ତି।
ଏହି ଘଟଣା ପରେ ଉତ୍ସବ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଡେସିବଲ ମ୍ୟୁଜିକ୍ ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏହି କଟକଣାକୁ ସହଯୋଗ କରିବା ସହ ଅନ୍ୟମାନଙ୍କୁ ବିଶୃଙ୍ଖଳା ସୃଷ୍ଟି କରୁଥିବା ଉଚ୍ଚ ଶବ୍ଦଯୁକ୍ତ ଗୀତ ବ୍ୟବହାର ନକରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
Comments are closed.