ନୂଆଦିଲ୍ଲୀ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ ହେଉଛି। ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ । ସେହିପରି ଆଜି ରାତି ସାଢେ ୨ଟାରୁ ଆରମ୍ଭ ହେବ ଏଗଜିଟ୍ ପୋଲ୍। ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।
ବହୁ ଦଶନ୍ଧି ପରେ ହ୍ବାଇଟ୍ ହାଉସ୍ ପାଇଁ ଏହି ନିର୍ବାଚନରେ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ସୂଚନା ମିଳିଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ପ୍ରାର୍ଥୀ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଏହି ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ୍ର ଆବଶ୍ୟକତା ରହିଛି। ସଦ୍ୟ ଜନମତ ସର୍ଭେ ଅନୁଯାୟୀ, ୭ ପ୍ରମୁଖ ରାଜ୍ୟ ଆରିଜୋନା, ନେଭଡା, ଓ୍ବିସ୍କନ୍ସିନ, ମିଚିଗାନ, ପେନ୍ସିଲ୍ଭାନିଆ, ନର୍ଥ କରୋଲିନା ଏବଂ ଜର୍ଜିଆର ଫଳାଫଳ ନିର୍ଣ୍ଣାୟକ ଭୂମିକା ନେବ।
ଚଳିତ ନିର୍ବାଚନରେ ଆମେରିକାର ବାଣିଜ୍ୟିକ ରାଜଧାନୀ ନ୍ୟୁୟର୍କ ପାଇଁ ପ୍ରସ୍ତୁତ ବାଲଟ୍ ପେପରରେ ଇଂରାଜୀ ବ୍ୟତୀତ ଅନ୍ୟ ଚାରିଟି ଭାଷା ଯଥା ସ୍ପାନିଶ, କୋରିଆନ୍, ଚାଇନିଜ୍ ଓ ଏକମାତ୍ର ଭାରତୀୟ ଭାଷା ଭାବେ ବଙ୍ଗଳାକୁ ସ୍ଥାନିତ କରାଯାଇଛି। ଇଂରାଜୀ ଭାଷା ଜାଣିନଥିବା ବ୍ୟକ୍ତି ଏଭଳି ଭାଷାରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବେ।
ବିଭିନ୍ନ ଜାତୀୟ ପ୍ରସଙ୍ଗ ସହ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଭୋଟରଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ଦୁଇ ପ୍ରାର୍ଥୀ। ୧୮୪୫ ମସିହାରୁ ଚାଲିଆସିଥିବା ନିୟମ ଅନୁସାରେ ନଭେମ୍ବର ପ୍ରଥମ ମଙ୍ଗଳବାର ଅର୍ଥାତ ଆଜି ହେବ ଭୋଟ। ବର୍ତ୍ତମାନ ସୁଦ୍ଧା ହୋଇଥିବା ସର୍ଭେରେ କମଳା ହାରିସଙ୍କୁ ୪୯ ପ୍ରତିଶତ ଓ ଡୋନାଲଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ରହିଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ। ଯଦି ୨ ପ୍ରାର୍ଥୀ ୨୬୯ ଲେଖାଏଁ ଭୋଟ ପାଆନ୍ତି ତେବେ ରାଷ୍ଟ୍ରପତି ପଦଲାଗି ପ୍ରତିନିଧି ସଭାରେ ଓ ଉପରାଷ୍ଟ୍ରପତି ଲାଗି ସିନେଟରେ ଭୋଟ ହେବ।
Comments are closed.