Latest Odisha News

BREAKING NEWS

ଆପକୁ ମିଳିଲା ଜାତୀୟ ରାଜନୈତିକ ଦଳର ମାନ୍ୟତା, ମମତା ଓ ପାଓ୍ୱାରଙ୍କ ପାର୍ଟିକୁ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି (ଆପ)କୁ ମିଳିଲା ଜାତୀୟ ଦଳର ମାନ୍ୟତା। ସୋମବାର ନିର୍ବାଚନ କମିସନ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଏଥିସହ ଶରଦ ପାଓ୍ୱାରଙ୍କ ଏନସିପି, ସିପିଆଇ ଏବଂ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଜାତୀୟ ଦଳ ଭାବେ ମାନ୍ୟତାକୁ ପ୍ରତ୍ୟାହାର କରିନେଇଛନ୍ତି।

ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟ ଭଳି ୪ଟି ରାଜ୍ୟରେ ଦଳର ନିର୍ବାଚନୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆପକୁ ଜାତୀୟ ଦଳ ଭାବେ ମାନ୍ୟତା ମିଳିଛି। କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ଏପ୍ରିଲ ୧୩ ପୂର୍ବରୁ ଆପର ଜାତୀୟ ଦଳ ମାନ୍ୟତା ବାବଦରେ କୌଣସି ରାୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏନସିପି,ସିପିଆଇ ଓ ଟିଏମସି ଆଦି ଦଳ ଜାତୀୟ ମାନତ୍ୟ ହରାଇବା ପରେ ଏବେ ଦେଶରେ ଛଅଟି ଜାତୀୟ ଦଳ ବିଜେପି, କଂଗ୍ରେସ, ଆପ୍, ନ୍ୟାସନାଲ ପିପୁଲ୍ସ ପାର୍ଟି, ସିପିଏମ ଓ ବିଏସପି ରହିଛି।

ସେହିପରି ଉତ୍ତର ପ୍ରଦେଶରେ ଆରଏଲଡି, ତେଲେଙ୍ଗାନାର ବିଆରଏସ, ମଣିପୁରରେ ପିଡିଏ, ପୁଡୁଚେରୀରେ ପିଏମକେ, ପଶ୍ଚିମବଙ୍ଗରେ ଆରଏସପି, ମିଜୋରାମରେ ଏମପିସିକୁ ରାଜ୍ୟ ଦଳ ମାନ୍ୟତାକୁ କମିଶନ ପ୍ରତ୍ୟାହାର କରିନେଇଛନ୍ତି। ସେହିପରି ବିହାରର ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ମେଘାଳୟରେ ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି ଏବଂ ତ୍ରିପୁରାରେ ଟିପରା ମୋଥାକୁ ମାନ୍ୟତାପ୍ରାପ୍ତ ରାଜ୍ୟ ରାଜନୈତିକ ଦଳ ପ୍ରଦାନ କରାଯାଇଛି।

ଜାତୀୟ ଦଳ ଭାବେ ମାନ୍ୟତା ପାଇବାକୁ ହେଲେ ସର୍ବନିମ୍ନ ତିନିଟି ରାଜ୍ୟରେ ଲୋକସଭା ଆସନର ଦୁଇ ପ୍ରତିଶତ ଅର୍ଥାତ ୧୧ଟି ଆସନ ରହିବା ଆବଶ୍ୟକ। ଅନ୍ୟ ମାନଦଣ୍ଡଟି ହେଲା, ଚାରୋଟି ରାଜ୍ୟରେ ଦଳକୁ ରାଜ୍ୟସ୍ତରୀୟ ଦଳର ମାନ୍ୟତା ମିଳିବା ନିହାତି ଆବଶ୍ୟକ।

ଦିଲ୍ଲୀ ଓ ପଞ୍ଜାବରେ ସରକାର ଥିବାରୁ ଆପ ମାନଦଣ୍ଡ ପୂରଣ କରିଛି ଏବଂ ଗୋଆରେ ଦଳ ୬ ପ୍ରତିଶତ ଭୋଟ/ଦୁଇଟି ଆସନର ଆବଶ୍ୟକତା ପୂରଣ କରିଥାଏ। ଗୁଜରାଟ ନିର୍ବାଚନରେ ପ୍ରାୟ ୧୩ ପ୍ରତିଶତ ଭୋଟ୍ ପାଇ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପଦାର୍ପଣରେ ପାଞ୍ଚଟି ଆସନ ଜିତିବା ପରେ ଗତ ବର୍ଷ ଆପ୍ ଜାତୀୟ ଦଳ ମାନ୍ୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

Comments are closed.