ଭୁବନେଶ୍ୱର: ନିକଟରେ ପାଓ୍ବାର ଫାଇନାନ୍ସ କର୍ପୋରେସନର ଏକ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୭୯ ପଇସା ଅଧିକ ଆଦାୟ କରାଯାଉଛି। ସାରା ଦେଶରେ କାର୍ଯ୍ଯ କରୁଥିବା ସମସ୍ତ ୧୧୭ଟି ବିଦ୍ୟୁତ୍ ବିତରଣ କମ୍ପାନୀର ପ୍ରଦର୍ଶନକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସାରା ଭାରତରେ ବିଭିନ୍ନ ସରକାରୀ ଓ ଘରୋଇ କମ୍ପାନୀ ଦ୍ୱାରା ବିତରଣ କରାଯାଉଥିବା ବିଦ୍ୟୁତ୍ ୟୁନିଟର ହାରାହାରି ମୂଲ୍ୟ ହେଉଛି ୫.୧୯ ଟଙ୍କା। ତେବେ ଆମ ରାଜ୍ୟରେ ବିଜୁଳି ବଳକା ହୋଇଥିଲେ ମଧ୍ୟ ବିଦ୍ୟୁତ୍ ୟୁନିଟ୍ ପିଛା ଉପଭୋକ୍ତାମାନେ ୫ ଟଙ୍କା ୯୮ ପଇସା ଦେଉଛନ୍ତି।
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ବିତରଣ କମ୍ପାନୀଗୁଡ଼ିକୁ ଯେଉଁ ଉଦାରତା ଦେଖାଇଛନ୍ତି, ସେଥିପାଇଁ ଏହି ଅଧିକ ଦର ଧାର୍ଯ୍ୟ କରାଯାଉଥିବା କୁହାଯାଉଛି। ଓଇଆରସି ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ଜାତୀୟ ହାରଠାରୁ ଅଧିକ ଦରରେ ବିଦ୍ୟୁତ୍ ଶୁଳ୍କ ଆଦାୟ କରିବାକୁ ଅନୁମତି ଦେଇଛି। ଏହା ଫଳରେ ଓଡ଼ିଶାରେ ବିଜୁଳି ଉପଭୋକ୍ତାମାନେ ଦେଶର ଅନ୍ୟ ପ୍ରାନ୍ତର ଉପଭୋକ୍ତାଙ୍କ ତୁଳନାରେ ଅଧିକ ଦରରେ ବିଜୁଳି ନେଉଛନ୍ତି।
ଏହି ଓଭର ଚାର୍ଜିଙ୍କୁ ନେଇ ସାରା ରାଜ୍ୟରେ ଖାଉଟି ଫୋରମ ଓ ବିଶେଷଜ୍ଞ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପଭୋକ୍ତାଙ୍କ ଠାରୁ ଆଦାୟ ହୋଇଥିବା ଅତିରିକ୍ତ ଅର୍ଥ ଫେରସ୍ତ କରିବା ପାଇଁ ଓଇଆରସି ତୁରନ୍ତ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ବିତରଣ କମ୍ପାନୀଗୁଡ଼ିକ ସେମାନଙ୍କ କାର୍ଯ୍ୟକୁ ରକ୍ଷା କରି ଯୁକ୍ତି ବାଢ଼ିଛନ୍ତି ଯେ ସେମାନଙ୍କ ଖର୍ଚ୍ଚ ଭରଣା କରିବା ପାଇଁ ବିଦ୍ୟୁତ୍ ପାଇଁ ଅଧିକ ଦର ଧାର୍ଯ୍ୟ କରିବା ଆବଶ୍ୟକ। କିନ୍ତୁ ବିଶେଷଜ୍ଞମାନେ ଏସବୁ ଦାବିକୁ ଖଣ୍ଡନ କରି ଯୁକ୍ତି ଦର୍ଶାଇଛନ୍ତି ଯେ ବିତରଣ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରି ମୁନାଫା କମାଉଛନ୍ତି।
ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଅଧିକ ବିଲ୍ ଆଦାୟ ଏକ ଗୁରୁତର ସମସ୍ୟା, ଯାହାର ସମାଧାନ ହେବା ଆବଶ୍ୟକ। ବିତରଣକାରୀ ଯେଭଳି ଏହାର ଫାଇଦା ନନିଅନ୍ତି ସେଥିପ୍ରତି ଓଇଆରସି ପଦକ୍ଷେପ ନେବା ଆବଶ୍ୟକ। ଯଦି ଓଇଆରସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତାହେଲେ ବିତରଣ କମ୍ପାନୀମାନେ ସେମାନଙ୍କ ଖର୍ଚ୍ଚରେ ଲାଭ ହାସଲ କରି ଚାଲିବେ।
Comments are closed.