Latest Odisha News

ପୂରଣ ହେଲାନି ବିଦ୍ୟୁତ କର୍ମଚାରୀଙ୍କ ଦାବି, ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ!

ଭୁବନେଶ୍ୱର: ସର୍ବନିମ୍ନ ମଜୁରି ବୃଦ୍ଧି ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ଗତ ୬ ଦିନ ହେଲା ରାଜ୍ୟରେ ବିଦ୍ୟୁତ୍ କର୍ମଚାରୀମାନେ ଆନ୍ଦୋଳନ ଚଳାଇଛନ୍ତି। ଠିକା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ସର୍ବନିମ୍ନ ମଜୁରୀ ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି।

‘ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଘ’ ବ୍ୟାନରରେ ବିକ୍ଷୋଭକାରୀମାନେ ଫେବ୍ରୁଆରି ୧୪ ତାରିଖରୁ ଭୁବନେଶ୍ୱର ଲୋୟର ପିଏମ୍ ଜିରେ ଧାରଣା ରେ ବସିଛନ୍ତି। ଜାନୁଆରି ୩୧ ତାରିଖରେ ରାଜ୍ୟ ସରକାର ଓ ବିଦ୍ୟୁତ ବିତରଣ କମ୍ପାନିକୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲେ ହେଁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ।

ବିକ୍ଷୋଭକାରୀଙ୍କ କହିବାନୁଯାୟୀ, ୯ଟି ଜିଲ୍ଲାର ୨୦ଟି ଡିଭିଜନର ୧୦ ହଜାରରୁ ଅଧିକ ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନହେଲେ ମଙ୍ଗଳବାରଠାରୁ ଆନ୍ଦୋଳନକୁ ତୀବ୍ର କରିବା ସହ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ବିଦ୍ୟୁତ୍ କ୍ଷେତ୍ରର କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ କର୍ତ୍ତୃପକ୍ଷ ସେମାନଙ୍କୁ ଶୋଷଣ ଓ ଭେଦଭାବ କରୁଛନ୍ତି। ସପ୍ତମ ବେତନ କମିଶନ ଓ ସର୍ବନିମ୍ନ ମଜୁରି ଆଇନର ସୁପାରିସ ଅନୁଯାୟୀ ସେମାନଙ୍କ ଦରମା ସଂଶୋଧନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଠିକା କର୍ମଚାରୀଙ୍କୁ ନିୟମିତ କରିବା ସହ ସ୍ଥାୟୀ କର୍ମଚାରୀଙ୍କ ଭଳି ସୁବିଧା ଦେବାକୁ ସେମାନେ ଦାବି କରିଛନ୍ତି। ଜାନୁଆରୀ 31 ତାରିଖରେ ନିଜର 7 ଦଫା ଦାବିକୁ ମୁଖ୍ୟମନ୍ତ୍ରୀ ଏବଂ ଟାଟା ପାଓ୍ବାର ଉଦ୍ଦେଶ୍ୟରେ ଦେଇଥିଲେ।

Comments are closed.