Latest Odisha News

ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣା; ନିଲମ୍ବିତ ହେଲେ ଦୁଇ ବନବିଭାଗ କର୍ମଚାରୀ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ ମାଙ୍କଡ଼କନ୍ଦା ନାଳ ନିକଟରେ ଦନ୍ତା ହାତୀର ଗଳିତ ମୃତଦେହ ମିଳିବା ଘଟଣାରେ ୨ ବନବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ବି କରାଯାଇଛି । ଜରପଡ଼ା ଫରେଷ୍ଟର୍‌ ଦିନବନ୍ଧୁ ନାୟକ ଓ ପରା ବିଟ୍‌ର ଦାୟିତ୍ବରେ ଥିବା ଫରେଷ୍ଟ ଗାର୍ଡ ମନୋଜ କୁମାର ନାଏକଙ୍କୁ ନିଲମ୍ବିତ କରାଯାଇଛି। ଡିଏଫ୍‌ଓ ନୀତୀଶ କୁମାର ଏନେଇ ସ୍ପଷ୍ଟ କରିଛନ୍ତି।

ପ୍ରାୟ ୮ ଦିନ ତଳେ ଅନୁଗୋଳ ଜିଲ୍ଲା ବନଖଣ୍ଡ ଜରପଡା ବନାଞ୍ଚଳ ପରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତଦନ୍ତ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ବରେ ଅବହେଳା ଅଭି‌ଯୋଗରେ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ନୀତୀଶ କୁମାର।

ଅନ୍ୟପଟେ ଏହି ଘଟଣାରେ ରୋଡ଼ସିଂହାର ରୋହିତ ବେହେରା (୪୧)ଙ୍କୁ ଗିରଫ କରାଯାଇଛି। ତାଙ୍କ ଘରୁ ୨ଟି ଯାକ ହାତୀ ଦାନ୍ତ ଜବତ କରାଯାଇଛି। ଜୁନ ୨୮ ତାରିଖରେ ଜରପଡ଼ା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ଥିବା ମାଙ୍କଡ଼କନ୍ଦା ନାଳରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ମିଳିଥିଲା। ହାତୀ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ପଚି ନଷ୍ଟ ହୋଇଯାଇଥିଲା। ଫଳରେ ହାତୀର ମୃତ୍ୟୁ ମାସେରୁ ଅଧିକ ସମୟ ପୂର୍ବରୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଥିଲା।

ରୋହିତ ହାତୀ ଶିକାର କରି ନଥିବା ଜଣାପଡ଼ିଛି। ସେ ଗାଈ ଚରାଇବାକୁ ମାଙ୍କଡ଼କନ୍ଦା ନାଳ ନିକଟକୁ ଯାଇଥିଲାବେଳେ ହାତୀର ମୃତଦେହ ଦେଖିଥିଲେ। ହାତୀଦାନ୍ତ ମୂଲ୍ୟବାନ ହୋଇଥିବାରୁ ତାହାକୁ ବିକିବା ଉଦ୍ଦେଶ୍ୟରେ ସେ ହାତୀର ଗଳିତ ଶବରୁ ଦାନ୍ତ ତାଡ଼ି ଆଣିଥିଲେ। ତେବେ ବନବିଭାଗକୁ ଶବ ମିଳିବା ପରେ ଦ‌ାନ୍ତ ଖୋଜା ଆରମ୍ଭ ହୋଇଥିଲା। ଭୟରେ ରୋହିତ ଉକ୍ତ ଦାନ୍ତକୁ ବାହାରେ ବିକ୍ରି କରି ନ ପାରି ନିଜ ଘରେ ଲୁଚାଇ ରଖିଥି‌ଲେ। ଘଟଣାର ସୂଚନା ପାଇଁ ବନବିଭାଗ ଟିମ୍‌ ରୋହିତଙ୍କ ରୋଡ଼ସିଂହାସ୍ଥିତ ଘରେ ଚଢ଼ଉ କରି ୨ଟି ଯାକ ହାତୀ ଦାନ୍ତକୁ ଜବତ କରିଥିଲେ। ରୋହିତ ପୂର୍ବରୁ ହରିଣ ଶିକାର କରିଥିବାବେଳେ ଏହା ଦ୍ବିତୀୟ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.