ଢେଙ୍କାନାଳ: ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଏକ ଜଙ୍ଗଲରୁ ଶନିବାର ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁୟାୟୀ, ସ୍ଥାନୀୟ ଲୋକେ ଓସ୍ତପାଳ ଗାଁ ନିକଟରେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହାତୀଟିର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଚାଷ ଜମିର ଫସଲ ସୁରକ୍ଷା ପାଇଁ ବିଲରେ ବିଦ୍ୟୁତ ତାର ପକାଇଥିଲେ ଚାଷୀ ବିପିନ ସାହୁ। ଆଉ ଏହି ତାର ହାତୀର ଶରୀରରେ ବାଜିବାରୁ ବିଦ୍ୟୁତ ଆଘାତ ପାଇ ହାତୀଟି ପ୍ରାଣ ହରାଇଛି। ପୋଲିସ ଏବେ ଚାଷୀ ବିପିନ ସାହୁକୁ ଗିରଫ କରିଛି। ଏଥିସହ ହାତୀଟିକୁ ପୋତି ଦେଇଛି।
ହାତୀର ମୃତ୍ୟୁ ବାବଦରେ ଜଣାପଡ଼ିବା ପରେ ଭୁବନେଶ୍ୱର ସ୍ଥିତ ଓୟୁଏଟିର ଟିମ୍ ସହିତ ଅନ୍ୟ ବନ ଅଧିକାରୀ ଘଟଣାସ୍ଥଳରେ ପହଁଚି ହାତୀର ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଇଛନ୍ତି। ଏହାପରେ ହାତୀର ଦୁଇଟି ଦାନ୍ତକୁ ନିଜ ହେପାଜତକୁ ନେଇ ପୋତି ଦେଇଛନ୍ତି। ଏବେ ଅପେକ୍ଷା ଶବ ବ୍ୟବଚ୍ଛେଦ ରିପୋର୍ଟକୁ। ଯେଉଁ ନମୁନା ସଂଗ୍ରହ କରାଯାଇଛି ସେଥିରୁ ସ୍ପଷ୍ଟ ହେବ ହାତୀ ବିଷକ୍ରିୟାର ଶିକାର ହୋଇଛି କି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ୪୦ରୁ ଅଧିକ ହାତୀ ସ୍ଥାନୀୟ ଅଞ୍ଚଳରେ ଘୁରି ବଲୁଛନ୍ତି। ହାତୀ ଆକ୍ରମଣର ଶିକାର ହୋଇ ଏହି ଓସ୍ତପାଳ ଅଞ୍ଚଳରେ ୮ ଜଣ ପ୍ରାଣ ହରାଇସାରିଲେଣି। କିନ୍ତୁ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ସେମାନେ ନିଜ ଜୀବନକୁ ସୁରକ୍ଷିତ ରଖିବା ସହିତ ନିଜ ପରିଶ୍ରମରୁ ତିଆରି ଫସଲକୁ ସୁରକ୍ଷିତ ରଖିବାକୁ ଜଙ୍ଗଲରେ ବିଦ୍ୟୁତ ତାର ଘୋଡ଼ାଉଥିବା ସୂଚନା ରହିଛି।
Comments are closed.