Latest Odisha News

ଶିମିଳିପାଳରେ ହାତୀ ଶିକାର, ପ୍ରମାଣ ନଷ୍ଟ କଲେ ବନ ଅଧିକାରୀ!

ମୟୂରଭଞ୍ଜ: ରାଜ୍ୟରେ ହାତୀ ବିରୋଧରେ ହିଂସା ଥମିବାର ନାଁ ନେଉନି। ଜଙ୍ଗଲ ଭିତରେ ପ୍ରବେଶ କରି ଶିକାରୀ ଶିକାର କରୁଛି ଆଉ ବନ ବିଭାଗ ଜଳକା ସାଜିବା ରାଜ୍ୟରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଶିମିଳିପାଳ ଜଙ୍ଗଲ ଭିତରେ ପଶି ଜଣେ ଶିକାରୀ ହାତୀକୁ ଶିକାର କରିଥିବା ଜଣାପଡିଛି। ଏହାପରେ ବନ ଅଧିକାରୀ ପ୍ରମାଣ ନଷ୍ଟ କରିବାକୁ ଯାଇ ପୋଡ଼ି ଦେଇଥିଲେ। ପରେ ହାଡ ଏବଂ ଅନ୍ୟାନ୍ୟ ଜିନିଷକୁ ନଦୀରେ ଭସାଇଦେଇଥିବା ଅଭିଯୋଗ ରହିଛି। ସ୍ଥାନୀୟ ବାସିନ୍ଦା ଏ ନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ପରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ରେଞ୍ଜରଙ୍କ ସମେତ ୩ ଜଣଙ୍କୁ ନିଲମ୍ବନ କରାଯାଇଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଗତ ୭ ତାରିଖରେ ଏକ ଦନ୍ତାହାତୀକୁ ଜେନାବିଲ ରେଞ୍ଜରେ ଶିକାର କରାଯାଇଥିଲା। ରେଞ୍ଜର ଏବଂ କିଛି ବନ କର୍ମଚାରୀଙ୍କର ଏହି ଘଟଣାରେ ସଂପୃକ୍ତି ରହିଛି। ଶିକାରି ଶିକାର କରିବା ପରେ ବନ ଅଧିକାରୀ ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଛନ୍ତି। ମୃତହାତୀକୁ ଜଙ୍ଗଲ ଭିତରେ ପୋଡ଼ି ଦେବା ପରେ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ।

ସେପଟେ ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ କହିଛନ୍ତି, ଶନିବାର ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ୫୦ ଜଣ ବନ କର୍ମଚାରୀ ଯାଇଥିଲେ। ଦୀର୍ଘ ସମୟ ଧରି ଛାନ୍‌ଭିନ୍‌ ପରେ ହାତୀ ପୋଡ଼ା ହୋଇଥିବା ସ୍ଥାନ ଚିହ୍ନଟ ହୋଇଛି। ସେହିପରି ନଦୀରୁ ଭସାଯାଇଥିବା ହାତୀର ହାଡ ଜବତ ହୋଇଛି।

ଏବେ ହାଡଟିକୁ ବିଶେଷଜ୍ଞଙ୍କ ଦ୍ବାରା ଅନୁଧ୍ୟାନ କରାଯିବ। ଏଥିପାଇଁ ଭୁବନେଶ୍ୱର ଓୟୁଏଟିକୁ ସମସ୍ତ ପ୍ରମାଣ ପଠାଯାଇଛି। ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଓ ଦୁଇଜଣ ବନରକ୍ଷୀଙ୍କୁ ଏହି ଘଟଣାରେ ନିଲମ୍ବନ କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ଅନୁଗୋଳରେ ହାତୀ ମୃତ୍ୟୁର ଖବର ଆସିଥିବା ବେଳେ ନିକଟରେ କଟକ ଆଠଗଡ ରେଞ୍ଜରେ ମଧ୍ୟ ହାତୀ ଶିକାରର ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

Comments are closed.