ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଗତ କିଛି ଦିନ ତଳେ ଭାରତ ସରକାର ଏହି କମ୍ପାନୀକୁ ଦେଶରେ ସେବା ଆରମ୍ଭ କରିବା ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଜିଓ ଓ ଏୟାରଟେଲ ପରେ ଷ୍ଟାରଲିଙ୍କ ହେଉଛି ତୃତୀୟ କମ୍ପାନୀ ଯାହାକୁ ସାଟେଲାଇଟ ସେବାର ଲାଇସେନ୍ସ ମିଳିଛି। ରିପୋର୍ଟ ଅନୁସାରେ, ଷ୍ଟାରଲିଙ୍କ ଆଗାମୀ ଦୁଇ ମାସ ମଧ୍ୟରେ ଭାରତରେ ତାହାର ସେବା ଆରମ୍ଭ କରିପାରେ। ଏହା ସହିତ ଷ୍ଟାରଲିଙ୍କର ପ୍ଲାନ ଓ ମୂଲ୍ୟ ସମ୍ପର୍କରେ ମଧ୍ୟ ସୂଚନା ସାମ୍ନାକୁ ଆସିଛି।
ଦୁଇ ମାସ ମଧ୍ୟରେ ଆରମ୍ଭ ହୋଇପାରେ ସେବା
ANIର ରିପୋର୍ଟ ଅନୁସାରେ, ଷ୍ଟାରଲିଙ୍କର ସାଟେଲାଇଟ ଇଣ୍ଟରନେଟ ସେବା ଆଗାମୀ ଦୁଇ ମାସ ମଧ୍ୟରେ ଭାରତରେ ଆରମ୍ଭ ହୋଇପାରେ। ତେବେ, ସରକାର ଏପର୍ଯ୍ୟନ୍ତ କୌଣସି କମ୍ପାନୀକୁ ସ୍ପେକ୍ଟ୍ରମ ଲାଇସେନ୍ସ ଆବଣ୍ଟନ କରିନାହାନ୍ତି। ଦୂରସଞ୍ଚାର ବିଭାଗ ଓ ଦୂରସଞ୍ଚାର ନିୟାମକ (TRAI) ଶୀଘ୍ର ସାଟେଲାଇଟ ସେବା ପ୍ରଦାନକାରୀଙ୍କୁ ସ୍ପେକ୍ଟ୍ରମ ଲାଇସେନ୍ସ ଆବଣ୍ଟନ କରିପାରନ୍ତି। ଦୂରସଞ୍ଚାର ନିୟାମକ ପୂର୍ବରୁ କହିଛନ୍ତି ଯେ ସାଟେଲାଇଟ ସେବା ପାଇଁ ସ୍ପେକ୍ଟ୍ରମ ଲାଇସେନ୍ସ ପ୍ରଶାସନିକ ପଦ୍ଧତିରେ ଆବଣ୍ଟନ କରାଯିବ, ମୋବାଇଲ ସେବା ପରି ନିଲାମୀ ହେବ ନାହିଁ।
ପ୍ଲାନର ମୂଲ୍ୟ କେତେ?
ସୂତ୍ର ଅନୁସାରେ, ଭାରତରେ ଷ୍ଟାରଲିଙ୍କର ସାଟେଲାଇଟ ଇଣ୍ଟରନେଟ ସେବାର ମାସିକ ମୂଲ୍ୟ ପ୍ରାୟ ୩,୦୦୦ ଟଙ୍କା ହୋଇପାରେ। ଏହି ସେବା ପାଇଁ ଆବଶ୍ୟକ ଡିଭାଇସ୍ର ମୂଲ୍ୟ ୩୩,୦୦୦ ଟଙ୍କା ରହିପାରେ। ଅର୍ଥାତ୍, ଏହି ସେବା ନେବା ପାଇଁ ପ୍ରଥମେ ଜଣେ ବ୍ୟବହାରକାରୀଙ୍କୁ ୩୬,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ, ରିପୋର୍ଟ ଅନୁସାରେ, ଷ୍ଟାରଲିଙ୍କ ପ୍ରଥମ ମାସର ରେଣ୍ଟ ମାଗଣା ପ୍ରଦାନ କରିବ। ଲଞ୍ଚ ରଣନୀତିର ଅଂଶ ଭାବେ କମ୍ପାନୀ ପ୍ରଥମ ମାସ ପାଇଁ ମାଗଣା ପ୍ଲାନ ଅଫର କରିବ।
ଭାରତର ପଡ଼ୋଶୀ ଦେଶ ଭୁଟାନ ଓ ବାଂଲାଦେଶରେ ମଧ୍ୟ ଷ୍ଟାରଲିଙ୍କର ଡିଭାଇସ୍ର ମୂଲ୍ୟ ୩୩,୦୦୦ ଟଙ୍କା। ଭାରତୀୟ ଉପମହାଦେଶରେ ଏହି ସେବାର ମୂଲ୍ୟ ପ୍ରାୟ ସମାନ ହୋଇପାରେ।
କାହା ପାଇଁ ଲାଭଦାୟକ?
ଷ୍ଟାରଲିଙ୍କର ସାଟେଲାଇଟ ଇଣ୍ଟରନେଟ ସେବା ମୁଖ୍ୟତଃ ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ଉପଯୋଗୀ ହେବ, ଯେଉଁଠାରେ ମୋବାଇଲ ନେଟୱାର୍କ କିମ୍ବା ଫାଇବର ସେବା ଉପଲବ୍ଧ ନାହିଁ । ବିଶେଷ କରି ପାର୍ବତ୍ୟ ଅଞ୍ଚଳର ବାସିନ୍ଦାମାନେ ଏହାର ବଡ଼ ଲାଭ ଉଠାଇପାରିବେ। ଏହା ବ୍ୟତୀତ, ଡାଇରେକ୍ଟ-ଟୁ-ସେଲ ଟେକ୍ନୋଲୋଜି ମାଧ୍ୟମରେ ଜରୁରୀ ପରିସ୍ଥିତିରେ ମଧ୍ୟ ବ୍ୟବହାରକାରୀମାନେ କଲିଙ୍ଗ ଓ ଇଣ୍ଟରନେଟ ସେବାର ଲାଭ ଉଠାଇପାରିବେ।
Comments are closed.