Latest Odisha News

ଏଲନ ମସ୍କଙ୍କ ନଜର ବ୍ଲ୍ୟୁ ଟିକ୍ ଟ୍ବିଟର ଆକାଉଣ୍ଟ ୟୁଜରଙ୍କ ପକେଟ ଉପରେ!

ନୂଆଦିଲ୍ଲୀ: ଟ୍ବିଟରର ମାଲିକାନା ହାତେଇବା ପରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ନଜର ଏବେ ଟ୍ବିଟରର ବ୍ଲ୍ୟୁ ଟିକ୍ ଭେରିଫିଆଇଡ୍ ୟୁଜରଙ୍କ ଉପରେ। ଏକ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କ ବ୍ଲ୍ୟୁ ଭେରିଫିକେସନ୍ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ଜଣେ ୟୁଜର ଟୁଇଟ୍ କରି ଏଲନ୍ ମସ୍କଙ୍କୁ ପଚାରିଥିଲେ ଯେ ତାଙ୍କର ବହୁ ସଂଖ୍ୟାରେ ଫଲୋଅର ଅଛନ୍ତି, ତାହେଲେ ସେ କାହିଁକି ବ୍ଲ୍ୟୁ ଟିକ୍ ପାଇବାରେ ସକ୍ଷମ ହୋଇ ନାହାନ୍ତି। ଏହି ଟୁଇଟର ଉତ୍ତରରେ ଏଲନ୍ ମସ୍କ ପେଡ୍ ବ୍ଲ୍ୟୁ ଟିକ୍ ଆଡକୁ ଇସାରା ଦେଇଛନ୍ତି।

ଇଂରାଜୀ ଟେକ୍ ୱେବସାଇଟ୍ ଦି ଭର୍ଜ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଦି ଭର୍ଜ ରିପୋର୍ଟ ଅନୁଯାୟୀ, ଟ୍ୱିଟରର ବ୍ଲ୍ୟୁ ଟିକ୍ କେବଳ ସେଇ ସଦସ୍ୟଙ୍କ ପାଇଁ ରହିବ, ଯେଉଁମାନେ ସବସ୍କ୍ରିପସନ୍ ନେବେ। ଏହି ୟୁଜରମାନେ ଟ୍ୱିଟ୍ ଏଡିଟ୍ ସହିତ ଅନେକ ସ୍ୱତନ୍ତ୍ର ଫିଚର ପାଇପାରିବେ। ଟ୍ୱିଟର ବ୍ଲ୍ୟୁର ମାସିକ ସବସ୍କ୍ରିପସନ୍ ହେଉଛି $ 19.99 ଅର୍ଥାତ୍ ପ୍ରାୟ 1,600 ଟଙ୍କା। କୁହାଯାଉଛି ଯେ ଯାହାର ଆକାଉଣ୍ଟ ପୂର୍ବରୁ ଯାଞ୍ଚ ହୋଇସାରିଛି, ସେମାନଙ୍କୁ 90 ଦିନ ମଧ୍ୟରେ ଟ୍ୱିଟର ବ୍ଲୁକୁ ସବସ୍କ୍ରାଇବ କରିବାକୁ ପଡିବ, ନଚେତ୍ ପ୍ରୋଫାଇଲରୁ ବ୍ଲୁ ଟିକ୍ ହଟାଯିବ।

କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋମବାର କହିଛନ୍ତି ଯେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ପକ୍ଷରୁ ଏ ନେଇ କୌଣସି ସୂଚନା ମିଳିପାରିନାହିଁ। ସେ କହିଛନ୍ତି ଯେ ଟ୍ୱିଟରରୁ ପ୍ରକୃତ ପରିସ୍ଥିତି ଜାଣିବା ପରେ ଏହା ଉପରେ ସେ କୌଣସି ମନ୍ତବ୍ୟ ରଖିବେ।

ଅନ୍ଯପଟେ ସୋମବାର ମସ୍କ ନିଜେ ଟ୍ୱିଟରର ସିଇଓ ହେବାପରେ ଅନ୍ୟ କାହାକୁ ନିଯୁକ୍ତ କରିପାରିବେ କି ସେ ସମ୍ପର୍କରେ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ଟେସଲାର ମାଲିକ ଏଲନ୍ ମସ୍କ ସୋମବାର କହିଛନ୍ତି ଯେ ସେ ଟ୍ୱିଟରର ଏକମାତ୍ର ନିର୍ଦ୍ଦେଶକ ରହିବେ। ମସ୍କ ଏହି ଟ୍ବିଟରକୁ ବର୍ତ୍ତମାନ 44 ବିଲିୟନ ଡଲାରରେ କିଣିଛନ୍ତି। ମସ୍କ ଗତ ସପ୍ତାହରେ ଟ୍ୱିଟରର ପୂର୍ବତନ ସିଇଓ ପରାଗ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ବରିଷ୍ଠ କମ୍ପାନୀ ଅଧିକାରୀଙ୍କୁ ବରଖାସ୍ତ କରିଥିଲେ।

Comments are closed.