ନୂଆଦିଲ୍ଲୀ: ସିଙ୍ଗାପୁରରେ ଏକ କମ୍ପାନୀର ଜଣେ କର୍ମଚାରୀ ଟଏଲେଟ ପେପରରେ ଲେଖା ଇସ୍ତଫା ପତ୍ର ଦେଇଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଇସ୍ତଫା ପତ୍ର ଜରିଆରେ କର୍ମଚାରୀ ଜଣଙ୍କ ନିଜର ମାନସିକ ଅବସ୍ଥାକୁ ଚିଠି ଜରିଆରେ କମ୍ପାନୀ ପ୍ରତିଥିବା ଚିନ୍ତାଧାରାକୁ ଲେଖିଛନ୍ତି। କମ୍ପାନୀର ନିର୍ଦ୍ଦେଶିକା ଆଞ୍ଜେଲା ୟେଓଙ୍କ ଲିଙ୍କଡ଼ିନ ପୋଷ୍ଟ ଅନୁଯାୟୀ, କର୍ମଚାରୀ ଲେଖିଛନ୍ତି, “ମୋତେ ଟଏଲେଟ ପେପର ପରି ଅନୁଭବ ହେଉଛି, ଆବଶ୍ୟକ ସମୟରେ ବ୍ୟବହାର କରାଯାଇ ପରେ ବିନା ଚିନ୍ତାରେ ଫିଙ୍ଗି ଦିଆଯାଇପାରେ।”
ଆଞ୍ଜେଲା ତାଙ୍କ ପୋଷ୍ଟରେ ଏହି ଘଟଣାକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଭାବେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ଏହି ଶବ୍ଦଗୁଡ଼ିକ ମୋ ମନେ ଗଭୀର ଛାପ ଛାଡ଼ିଛି। ଏହା କେବଳ ଏକ ଇସ୍ତଫା ନୁହେଁ, କାର୍ଯ୍ୟାଳୟର ପରିବେଶ ଓ ସଂସ୍କୃତି କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଏକ ପ୍ରମାଣ।” ସେ ଆହୁରି ମତ ଦେଇଛନ୍ତି ଯେ କର୍ମଚାରୀଙ୍କୁ ଏପରି ଭାବେ ସମ୍ମାନ ଓ ମୂଲ୍ୟାୟନ କରାଯିବା ଉଚିତ ଯେ, ସେମାନେ ଚାକିରି ଛାଡ଼ିବା ସମୟରେ କୃତଜ୍ଞତା ନେଇ ବିଦାୟ ନିଅନ୍ତୁ, ଅସନ୍ତୋଷ ନୁହେଁ।
ଆଞ୍ଜେଲା କହିଛନ୍ତି, “ମୂଲ୍ୟାୟନ କେବଳ କର୍ମଚାରୀଙ୍କୁ ଧରି ରଖିବାର ଏକ ମାଧ୍ୟମ ନୁହେଁ, ଏହା ତାଙ୍କର କାର୍ଯ୍ୟ ଓ ବ୍ୟକ୍ତିତ୍ୱ ପ୍ରତି ସମ୍ମାନର ପ୍ରତିଫଳନ।” ଯଦି କର୍ମଚାରୀମାନେ ନିଜକୁ ମୂଲ୍ୟହୀନ ବୋଲି ଅନୁଭବ କରି ଚାଲିଯାଆନ୍ତି, ତେବେ କମ୍ପାନୀକୁ ନିଜ ପରିବେଶ ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି। ସେ ପରାମର୍ଶ ଦେଇଛନ୍ତି ଯେ ଛୋଟ ଛୋଟ ପରିବର୍ତ୍ତନ ମାଧ୍ୟମରେ ମଧ୍ୟ ବଡ଼ ପ୍ରଭାବ ସୃଷ୍ଟି କରାଯାଇପାରେ।
ସେ ତାଙ୍କ ହାତରେ ଏକ ଟଏଲେଟ ପେପର ବା ଟିସୁ ପେପରେ ଲେଖିଥିବା ଇସ୍ତଫା ପତ୍ରରେ ମଧ୍ୟ ଲେଖିଛନ୍ତି, “ମୁଁ ଏହି ପ୍ରକାରର କାଗଜ ମୋ ଇସ୍ତଫା ପାଇଁ ବାଛିଛି, କାରଣ ଏହା କମ୍ପାନୀ ମୋ ସହ କିପରି ବ୍ୟବହାର କରିଛି ତାହାର ପ୍ରତୀକ। ମୁଁ ଚାକିରି ଛାଡ଼ୁଛି।” ତେବେ, ଏହି ଚିଠି ସେହି କର୍ମଚାରୀଙ୍କର କି ନା କେବଳ ପ୍ରତୀକାତ୍ମକ ଚିତ୍ର ତାହା ସେ ସ୍ପଷ୍ଟ କରି ନାହାଁନ୍ତି।
ଏହି ପୋଷ୍ଟକୁ ନେଇ ଲିଙ୍କଡ଼ିନର ୟୁଜରମାନେ ନିଜର ମତ ପ୍ରକାଶ କରିଛନ୍ତି। ଜଣେ ୟୁଜର ଏହି ଇସ୍ତଫା ଶୈଳୀକୁ “ଅଭିନବ” ବୋଲି କହି ନିଜେ ମଧ୍ୟ ସମାନ କିଛି କରିଥିବା ସ୍ୱୀକାର କରିଛନ୍ତି।
Comments are closed.