ରାଉରକେଲା: ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିମନ୍ତେ କ୍ରୀଡା ନିତାନ୍ତ ଆବଶ୍ୟକତା ରହିଛି। ଏହା କେବଳ ଶାରୀରିକ ଶକ୍ତି ବଢାଇବା ସହିତ ଅନୁଶାସନ ଶିଖାଏ, ମନୋବଳ ବ୍ରୁଦ୍ଧି କରାଏ, ଟୀମ ସ୍ପିରିଟ ବଢାଇ ଥାଏ। ସେଥିପାଇଁ ପ୍ରତ୍ୟେକ ବ୍ଳକରେ ଷ୍ଟାଡିୟମର ନିର୍ମାଣ କରାଯାଉଛି। ଖେଳର ବିଶ୍ବ ସ୍ତରୀୟ ସୁବିଧା କେବଳ ସହରର ପିଲାଙ୍କ ମଧ୍ୟରେ ସୀମିତ ନ ରହି ଗାଁର ପିଲା ମାନଙ୍କୁ ମଧ୍ୟ ପ୍ରାପ୍ତ ହେଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଅନୁଷ୍ଠିତ ଚତୁର୍ଥ ଜାତୀୟ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି।
ଆଜି ରାଉରକେଲାର ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଓଡ଼ିଶାରେ ଦେଶର ସର୍ବାଧିକ ୧୧୪ଟି EMRS ନିର୍ମାଣ ପାଇଁ ମଞ୍ଜୁର କରାଯାଇଛି। ସେଥିମଧ୍ୟରୁ ବର୍ତ୍ତମାନ ୧୭ଟି ଜିଲ୍ଲାରେ ୪୭ଟି ସ୍କୁଲ କାର୍ଯ୍ୟକ୍ଷମ ହୋଇସାରିଛି। ଏହି ବିଦ୍ୟାଳୟରେ ୧୨ ହଜାରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l EMRS ର ଏକ ଆଂଚଳିକ କାର୍ଯ୍ୟାଳୟ ରାଉରକେଲାରେ ଖୋଲାଯିବା ସଂପର୍କରେ ଘୋଷଣା କରିଥିବାରୁ ସେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଭାରତ ସରକାରଙ୍କ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ରାଉରକେଲା ରାଜଗାଙ୍ଗପୁର ଏବଂ ସୁନ୍ଦରଗଡଠାରେ ଚାଲିଥିବା ଏହି ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତାରେ ତେଲେଙ୍ଗାନା ଉଭୟ ଦଳଗତ ଓ ଏକକ ପ୍ରତିଯୋଗିତାରେ ସର୍ବାଧିକ ପଏଣ୍ଟ ରଖି ଚମ୍ପିୟାନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ୨୧ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୫୫୦୦ ପ୍ରତିଯୋଗୀ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ୩୫ ରୁ ଅଧିକ ପ୍ରତିଯୋଗୀତାରେ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ। nestର ଆୟୁକ୍ତ ଅଜିତ ଶ୍ରୀବାସ୍ତବ, ଆନ୍ତର୍ଜାତୀୟ ଧାବକ ଦୂତି ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ବରନ୍, ଜିଲ୍ଲାପାଳ ସୁନ୍ଦରଗଡ ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.