Latest Odisha News

BREAKING NEWS

ଦ୍ୱିତୀୟ କ୍ରିକେଟ ଟେଷ୍ଟ: ଭାରତକୁ ଦରକାର ୯ ୱିକେଟ, ଇଂଲଣ୍ଡକୁ ଆବଶ୍ୟକ ୩୩୨ ରନ

ବିଶାଖପଟନମ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିଜୟ ପାଇଁ ୩୩୨ ରନ ଆବଶ୍ୟକ କରୁଥିବା ବେଳେ ଭାରତକୁ ବିପକ୍ଷ ଦଳର ୯ ୱିକେଟ ଦରକାର । ଦ୍ୱିତୀୟ ଇନିଂସରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ଯୋଗୁ ଭାରତ ବଡ ଟାର୍ଗେଟ ଦେବାରେ ସଫଳ ହୋଇଛି । ଗିଲ ୧୦୪ ରନ କରିଥିବା ବେଳେ ଅକ୍ଷର ପଟେଲ ୪୫ ରନର ଇନିଂସ ଖେଳିଥିଲେ । ତେବେ ପୁନର୍ବାର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ୨୫୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଏକଦା ୫ଟି ୱିକେଟ ହରାଇ ଭାରତ ୨୧୧ ରନ କରି ଭଲ ସ୍ଥିତିରେ ରହିଥିଲା । ମାତ୍ର ଏହା ପରେ ବାକି ୫ଟି ୱିକେଟ ମାତ୍ର ୪୪ ରନରେ ହରାଇଥିଲା । ଟମ ହାର୍ଟଲେ ୪ଟି ଓ ରେହାନ ଅହମ୍ମଦ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।

ଇଂଲଣ୍ଡ ସମ୍ମୁଖରେ ୩୯୯ ରନର ଟାର୍ଗେଟ ଥିବା ବେଳେ ଭ୍ରମଣକାରୀ ଦଳ ଗୋଟିଏ ୱିକେଟ ହରାଇ ୬୭ ରନ କରିଛି । ଜ୍ୟାକ କ୍ରାଉଲେ ୨୯ ଓ ରେହାନ ଅହମ୍ମଦ ୯ ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ଯଶସ୍ୱୀ ଜୈସୱାଲଙ୍କ ଦ୍ୱିଶତକ ସହାୟତାରେ ୩୯୬ ରନ କରିଥିଲା । ଜବାବରେ ଇଂଲଣ୍ଡ ୨୫୩ ରନ କରି ଅଲଆଉଟ ହୋଇ ଯାଇଥିଲା । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.