Latest Odisha News

ଇଂଲଣ୍ଡ ୯୩ ରନରେ ପାକିସ୍ତାନକୁ ହରାଇଲା

ଇଡେନଗାର୍ଡେନ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୯୩ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏଥିସହ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଏବଂ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୩୩୭ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୮୪, ଜନୀ ବେୟାରଷ୍ଟୋ ୫୯, ଜୋ ରୁଟ ୬୦ ରନର ଇନିଂସ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ହ୍ୟାରିଶ ରୌଫ ୩ଟି ଏବଂ ଶାହୀନ ଶାହ ଆଫ୍ରିଦୀ ଓ ମହମ୍ମଦ ୱାସିକ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୩୩୮ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୩.୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇ ଯାଇଥିଲା । ସେମିରେ ପ୍ରବେଶ ପାଇଁ ପାକିସ୍ତାନ ଟିମକୁ ଏହି ଲକ୍ଷ୍ୟ ୬.୪ ଓଭରରେ ହାସଲ କରିବାକୁ ଥିଲା । ଯାହାକି ପ୍ରାୟତଃ ସମ୍ଭବ ନ ଥିଲା । ପାକିସ୍ତାନ ପକ୍ଷରୁ ଆଘା ସଲମାନ ୫୧ ଓ ବାବର ଆଜମ ୩୮ ରନର ଇନିଂସ ଖେଳିଥିଲେ ।

ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡିଲ ରଶିଦ, ଗସ ଆଟିକସନ ଓ ମୋଇନ ଅଲୀ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ପାକିସ୍ତାନ ୯ ମ୍ୟାଚରୁ ୮ ପଂଏଟ ଏବଂ ଇଂଲଣ୍ଡ ୬ ପଂଏଟରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି । ରବିବାର ରାଉଣ୍ଡ ରବିନ ଲିଗର ଶେଷ ମ୍ୟାଚ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ । ଡେଭିଡ ୱିଲି ତାଙ୍କ ବିଦାୟୀ ମ୍ୟାଚରେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.