Latest Odisha News

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଉନବିଂଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଲୋକସଭା ସଦସ୍ୟ ଭତ୍ତୃହରି ମହତାବ, ବିଧାୟକ ବାବୁ ସିଂ, ପ୍ରଥିତଯଶା ସାହିତ୍ୟିକ ଏବଂ ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଦିପ୍ତୀରଂଜନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏବଂ ଅନ୍ୟ ଅତିଥିମାନଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଉନ୍ମୋଚିତ ହୋଇଯାଇଛି ।

ଏହି ଅନୁବାଦର ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ଜାତିର ଅସ୍ମିତାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ। ଭାଷା ଭିତ୍ତିରେ ଗଠିତ ହୋଇଥିବା ଓଡିଶା ପ୍ରଦେଶ ଆଉ ୧୨ ବର୍ଷପରେ ୧୦୦ ବର୍ଷରେ ପଦାର୍ପଣ କରିବ, ତେଣୁ ଆସନ୍ତା ୧୨ ବର୍ଷ ଓଡ଼ିଆ ଜାତିପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ।ଅନ୍ୟପ୍ରାନ୍ତରର ଲୋକମାନଙ୍କୁ ତିରସ୍କାର କରି କୌଣସି ଜାତି ନିଜର ପରିଚୟ ସୃଷ୍ଟି କରିପାରେନା। କଳା, ସାହିତ୍ୟ, ସଂସ୍କୃତି ଓ ପ୍ରାକୃତିକ ବିଭାବରେ ପରିପୂର୍ଣ୍ଣ ଓଡ଼ିଶା। ତା’ ସହ ରାଜ୍ୟ ସଂଗ୍ରହାଳୟରେ ଶତସହସ୍ର ମୂଲ୍ୟବାନ ପ୍ରାଚୀନ ତାଳପତ୍ର ପୋଥି ଅଛି, ତା’ ଉପରେ ଅଧିକରୁ ଅଧିକ ଅଧ୍ୟୟନ ଓ ଗବେଷଣା ହୋଇପାରିଲେ ଓଡ଼ିଶା ବିଶ୍ଵଦରବାରରେ ଏକ ଜ୍ଞାନର ଭଣ୍ଡାର ଭାବେ ପରିଗଣିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ।

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହି ପୁସ୍ତକ ମାଧ୍ୟମରେ ଅନ୍ୟଦେଶର ସାହିତ୍ୟ ଓ ସଂଗୀତ ଅନୁରାଗୀମାନେ ଓଡ଼ିଆ କାବ୍ୟ କୃତିର ଲାଳିତ୍ୟ ଓ ମାଧୁର୍ଯ୍ୟକୁ ଅନୁଭବ କରିବେ। ଏଭଳି ପ୍ରୟାସ ଦ୍ୱାରା ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ହୋଇପାରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ ଆଶାବ୍ୟକ୍ତ କରିଥିଲେ । ରାଜ୍ୟ ସଂଗ୍ରହାଳୟରେ ଥିବା ମୂଲ୍ୟବାନ ତାଳପତ୍ର ପୋଥିର ସଠିକ ଭାବରେ ଅନୁବାଦ ଓ ପ୍ରକାଶନ ଉପରେ ଲୋକସଭା ସଦସ୍ୟ ଶ୍ରୀ ଭତ୍ତୃହରି ମହତାବ ଗୁରୁତ୍ୱାରୋପ କରିଥିଲେ ।

ସାହିତ୍ୟିକଦାଶରଥି ଦାସ ଏହି ଅନୁବାଦ ପୁସ୍ତକର ସମୀକ୍ଷା କରିଥିବା ବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସରଦିପ୍ତୀରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣରେ ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ସ୍ଥିତି-ଅବସ୍ଥିତି ଓ ଲେଖକଙ୍କର ଗବେଷଣା ଓ ଅନୁବାଦ ସମୟର କଷ୍ଟର ଅଙ୍ଗେନିଭା ଅନୁଭୂତି ବିଷଦ ଭାବରେ ବ୍ୟାଖ୍ୟା କରିଥିଲେ।

ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁସ୍ତକର ପ୍ରକାଶକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏହି ସାହିତ୍ୟିକ ସଭାରେ ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ,ଦାସ ବେନୁହୁର, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ ପଣ୍ଡା, ପ୍ରଫେସର ଯତୀନ ନାୟକ, ପ୍ରଫେସର ନଟବର ଶତପଥି, ରାମହରି ଜେନା, ସଂଗ୍ରାମ ଜେନା, ନିବେଦିତା ମହାନ୍ତି, ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

 

Comments are closed.