Latest Odisha News

BREAKING NEWS

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ, ମିଲିଲା ସନ୍ଦେହଜନକ ଦସ୍ତାବିଜ

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଆଜି ବି ହେଉଛି ଛାନବିନ୍। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ। ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଚଢଉ କରିବା ଘଟଣା ସମଗ୍ର ରାଜ୍ୟର ଗଣମାଧ୍ୟମ ଜଗତରେ ଚର୍ଚ୍ଚାରେ ରହିଛି। କର୍ମଚାରୀଙ୍କ ନାଁରେ ଋଣ ଠକେଇ ଅଭିଯୋଗ ଆସିବା ପରେ ଏହି ଚଢଉ କରାଯାଇଛି। ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ। ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ ଆଉ ୩ଟି ମାମଲା ରୁଜୁ ହୋଇଛି।

ତେବେ ଇଓଡବ୍ଲ୍ୟୁର ୩ଟି ଟିମରୁ ମୋଟ ୧୨ ଜଣ କର୍ମଚାରୀ ଏହି ଚଢଉରେ ସାମିଲ ଅଛନ୍ତି। ସେପଟେ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜେରା କରିଥିଲା। ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ତେବେ ଏହି ଯାଞ୍ଚ ବେଳେ ଇଓଡବ୍ଲ୍ୟୁକୁ ଅନେକ ସନ୍ଦେହଜନକ ଦସ୍ତାବିଜ ମିଳିଛି। ଏହାସହ ବ୍ୟାଙ୍କ ଋଣ ସମ୍ବନ୍ଧୀୟ ଦଲିଲ ସମେତ କିଛି ଗୋପନୀୟ ଦଲିଲ ଜବତ କରାଯାଇଛି। ଉକ୍ତ ଘଟଣାରେ ସାକ୍ଷୀ ଏବଂ ପୀଡିତଙ୍କୁ ପଚରାଉଚୁରା କରାଯାଇଛି। ‘ସମ୍ବାଦ’ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି। ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା।

ଏନେଇ ଇଓଡବ୍ଲ୍ୟୁ କହିଛି, “ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ଅଭିଯୋଗକାରୀଙ୍କ ଦ୍ୱାରା ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍। ସେହିପରି ଋଣ ଦେଇଥିବା ବ୍ୟାଙ୍କକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି। ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି। ଗତ କିଛି ବର୍ଷ ମଧ୍ୟରେ କେବଳ ଭୁବନେଶ୍ୱରର ଆଇଆରସି ଗ୍ରାମ ଶାଖା ଗ୍ରାମ୍ୟ ବ୍ୟାଙ୍କରୁ ୩୫୦ରୁ ଅଧିକ ସମ୍ବାଦ/ ଇଏମଏଲ କର୍ମଚାରୀ ଋଣ ନେଇଛନ୍ତି। ଏସବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କରୁ ନିଆଯାଇଥିବା ଋଣ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ। ପ୍ରକୃତ ସଂଖ୍ୟା ବହୁତ ଅଧିକ ହେବ ବୋଲି ଆଶା କରାଯାଉଛି।”

ବ୍ୟାଙ୍କ ଋଣ ନେବା ବେଳେ ପ୍ରତ୍ୟେକ ଥର ସମାନ ପଦ୍ଧତି ଆପଣେଇଛି-

  • ଗୃହ ନିର୍ମାଣ କିମ୍ବା ମରାମିତ କରିବା ପାଇଁ ସମାନ ଜାଗା ଦର୍ଶାଇ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କାର ଋଣ ନିଆଯାଇଛି।
  • ଜାଲ୍ ଦରମା ପ୍ରମାଣପତ୍ର ସମ୍ବାଦ / ଇଏମ୍ଏଲ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦାଖଲ କରାଯାଇଛି।
  • ସମ୍ବାଦ/ ଇଏମଏଲ୍ କର୍ତ୍ତୃପକ୍ଷ ପ୍ରକୃତ ଦରମା ଏବଂ ଦରମା ସାର୍ଟିଫିକେଟ ମଧ୍ୟରେ ଦୁଇଗୁଣ ଅନ୍ତର ଦର୍ଶାଇଛନ୍ତି।
  • ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ ଋଣ ଫର୍ମ ଅନ୍ୟ କେହି ପ୍ରସ୍ତୁତ କରି ପୂରଣ କରିଛନ୍ତି ଏବଂ କର୍ମଚାରୀମାନେ କେବଳ ଏହି ଫର୍ମରେ ଦସ୍ତଖତ କରିଛନ୍ତି। କିନ୍ତୁ ପ୍ରକୃତରେ ହିତାଧିକାରୀମାନେ ଋଣର ଟଙ୍କା ପାଇନାହାଁନ୍ତି କିମ୍ବା କୌଣସି ଲାଭବାନ ମଧ୍ୟ ହୋଇନାହାଁନ୍ତି।
  • ଥରେ ବ୍ୟାଙ୍କରୁ ଋଣ ମଞ୍ଜୁର ହୋଇଗଲେ ନଗଦ ଟଙ୍କା ଉଠାଇ ନିଆଯାଉଥିଲା।
  • ସେହିପରି କର୍ମଚାରୀଙ୍କ ଦରମା ସମାନ ଇଏମଆଇ ଭରାଯାଉଥିଲା। ସମ୍ବାଦ ଦ୍ୱାରା ଏହି ସମସ୍ତ ଇଏମଆଇ ୬୦ଟି କିସ୍ତିରେ ଭରାଯାଉଥିଲା।
  • କିଛି କର୍ମଚାରୀଙ୍କୁ ୨ ରୁ ୩ ଥର ଋଣ ନେବାକୁ ବାଧ୍ୟ କରାଯାଉଥିଲା।
  • କର୍ମଚାରୀମାନଙ୍କୁ ଦରମା ସ୍ଲିପ୍ ଦିଆଯାଉ ନାହିଁ।
  • ଏଠାରେ ଆଶ୍ଚର୍ଯ୍ୟର କଥା ହେଲା ଅନେକ ସମୟରେ କର୍ମଚାରୀମାନେ ମାସ ପୂର୍ବରୁ କମ୍ପାନୀରୁ ଇସ୍ତଫା ଦେବା ପରେ ମଧ୍ୟ ସମସ୍ତ ଇଏମଆଇ ଗୁଡିକ ସମ୍ବାଦ/ ଇଏମଏଲ ଦ୍ୱାରା ପ୍ରଦାନ କରାଯାଉଥିଲା।

ସମ୍ବଦ/ ଇଏମଏଲ ବର୍ଷ ବର୍ଷ ଧରି ଏପରି ଶୈଳୀରେ ବ୍ୟାଙ୍କ ଋଣ ଜାଲିଆତି କରି ଆସିଛି। ଏପରି ଢଙ୍ଗରେ ବ୍ୟାଙ୍କ ଋଣ ଉଠେଇବା ଏକ ସୁପରିକଳ୍ପିତ ଏବଂ ଯୋଜନା ପୂର୍ବକ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

Comments are closed.