Latest Odisha News

BREAKING NEWS

ଏ ସବୁ ଅପ୍ରାସଙ୍ଗିକ କି ଏବେ?

 ପଲିଟିକସ ଫଲିଟିକସ 

ଏ ସବୁ ଅପ୍ରାସଙ୍ଗିକ କି ଏବେ?

ଜ୍ୟୋତିପ୍ରକାଶ ମହାପାତ୍ର

ଏଇ ସୋମବାର ଦିନ ପୁଣି ସେଇ ପ୍ରଶ୍ନ ଉଠିଥିଲା- ଲୋକସଭାରେ । ଯେଉଁଠି ବିଜେଡ଼ି ସାଂସଦ ମୋହନ ମାଝୀ ପଚାରି ଥିଲେ- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟ ପାହ୍ୟା ଦାବି କଥା କଣ ହେଲା? ଏହାର ଉତ୍ତର ରଖିଥିଲେ- କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ସେ କହିଥିଲେ- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ସଂପର୍କିତ କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ । ଏହାର କିଛି ଦିନ ଆଗରୁ ବିଜେଡ଼ିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏକା ପ୍ରଶ୍ନ ଉଠେଇ ଥିଲେ । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସେତେବେଳେ ବି ଏକା ଉତ୍ତର ଦେଇଥିଲେ ।

କିଛି ମାସ ତଳେ କେନ୍ଦ୍ର ସରକାର ପୋଲାଭରମ ପ୍ରଳଳ୍ପ ଉପରେ ପରିବେଶ ମଂଜୁରୀ ଅବଧିକୁ ବଢେଇ ଦେଇଥିଲେ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ମଂଜୁରୀ ଦିଆଯାଇଥିଲା । ପୋଲାଭରମକୁ ନେଇ ଓଡ଼ିଶା ଓ ପଡେ଼ାଶୀ ଆନ୍ଧ୍ର ପ୍ରଦେଶ କେବେଠାରୁ ମୁହାଁମୁହିଁ ହୋଇଛନ୍ତି । ଗୋଦାବରୀ ନଦୀ ଉପରେ ଆନ୍ଧ୍ର ନିର୍ମାଣ କରୁଥିବା ଏହି ପ୍ରକଳ୍ପକୁ ଓଡ଼ିଶା ତୀବ୍ର ବିରୋଧ କରି ଆସୁଥିଲା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନେକ ଗାଁ ଓ ଜଙ୍ଗଲ ସବୁଦିନ ପାଣିରେ ବୁଡ଼ିଯିବ । ମାତ୍ର ଏବେ କେନ୍ଦ୍ର ସେହି ପ୍ରକଳ୍ପକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ।

ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଘୋଷଣା କରିଥିଲେ- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫଳରେ ତେଲ ଦର ଆହୁରି ମହଙ୍ଗା ହେଲା । ପେଟ୍ରୋଲ ଓ ଡିଜେଲର ବଢୁଥିବା ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଥିବା ବେଳେ କେନ୍ଦ୍ରର ଏହି ଘୋଷଣା ଲୋକମାନଙ୍କୁ ହତାଶ କରିଥିଲା ।

ପୂର୍ବରୁ ଓଡ଼ିଶାରେ ଏଇ ପ୍ରସଙ୍ଗମାନଙ୍କୁ ନେଇ ଲଢେଇ ତୀବ୍ର ହୋଇଛି । ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେଇ ରାସ୍ତା ଉପରକୁ ଓହ୍ଲେଇ ଆସିଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଓଡ଼ିଶାର କୋଉ ଦିନର ପୁରୁଣା ଦାବି । ଉପା ସରକାର ଓ ତା’ ପୂର୍ବରୁ ଓଡ଼ିଶା ବରାବର ଏହି ଦାବି ଉଠେଇ ଆସିଛି । ଓଡ଼ିଶାରେ ଏହା ବେଶ ବଡ଼ ରାଜନୈତିକ ପ୍ରସଙ୍ଗ ସବୁ ସମୟରେ ହୋଇ ରହିଛି । କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଥିବା ପ୍ରସଙ୍ଗରେ ଏହାକୁ ରାଜ୍ୟ ସରକାର ନିଜର ରାଜନୈତିକ ଅସ୍ତ୍ର ଭାବେ ଏହାକୁ ବ୍ୟବହାର କରି ଆସିଛନ୍ତି । କିନ୍ତୁ ଏବେ କେନ୍ଦ୍ରର ରୋକଠୋକ ଜବାବ ପରେ ବିଜେଡ଼ି ପକ୍ଷରୁ କିଛି ବି କୁହାଯାଉ ନାହିଁ । କେହି କିଛି ପ୍ରତିକ୍ରିୟା ପ୍ରକାଶ କରୁ ନାହାନ୍ତି । ଆଶ୍ଚର୍ଯ୍ୟ ! ଯେଉଁ ପ୍ରସଙ୍ଗକୁ ନେଇ ପୁରୁଣା ଦିନରେ ଶାସକ ବିଜେଡ଼ି ଲଢି ଆସିଥିଲା- ଏବେ ତାହାକୁ କେନ୍ଦ୍ର ମନା କରିଦେଲା ପରେ ବି ପ୍ରତିକ୍ରିୟା ନାହିଁ ।

ସେମିତି ପୋଲାଭରମକୁ ନେଇ କେନ୍ଦ୍ର ବିରୋଧରେ ଅନେକ ଲଢେଇ ଓଡ଼ିଶା ଦେଖିଛି । ପୋଲାଭରମ ପ୍ରକଳ୍ପ ଅଞ୍ଚଳରେ ବିଜେଡ଼ିର ତୁଙ୍ଗ ନେତାମାନେ ଯାଇ ବିକ୍ଷୋଭ କରିଛନ୍ତି । ଧାରଣା ଦେଇଛନ୍ତି । ପ୍ରଦର୍ଶନ କରିଛନ୍ତି । ପୋଲାଭରମ ଓଡ଼ିଶା ରାଜନୀତି ଓ ଗଣମାଧ୍ୟମକୁ ପ୍ରାୟ ସମୟରେ ଚଳଚଞ୍ଚଳ କରି ଆସିଛି । କିନ୍ତୁ ଏଥର କେନ୍ଦ୍ରର ଏମିତି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚିଠି ଲେଖି ଏହାର ପ୍ରତିବାଦ କରିଛନ୍ତି । କିନ୍ତୁ ବିଜେଡ଼ି ରାସ୍ତାକୁ ଓହ୍ଲାଇ ନାହିଁ ।

ତେଲ ତାତି ଓଡ଼ିଶା ରାଜନୀତିକୁ ସରଗରମ କରି ରଖିଛି ସବୁଦିନେ । କେନ୍ଦ୍ରରେ ଏନଡିଏ ସରକାର ଅମଳରେ ତେଲ ଦର ବେଶ ବଢି ଯାଇଥିଲା । ଏହାକୁ ସରକାରୀ ନିୟନ୍ତ୍ରଣରୁ ବି ମୁକ୍ତ କରାଯାଇଥିଲା । ଫଳରେ ତେଲ କଂପାନୀମାନେ ମନଇଚ୍ଛା ତେଲ ଦର ବଢାଇ ଚାଲିଥିଲେ । ଏହାର ପ୍ରତିବାଦରେ ବିଜେଡ଼ି ସାରାରାଜ୍ୟରେ ଅଖଚକ ବନ୍ଦ କରିଛି । ହରତାଳ କରିଛି । ରାଜରାସ୍ତାକୁ ଓହ୍ଲେଇ ତୀବ୍ର ପ୍ରତିବାଦ କରିଛି । ରାଜଭବନ ସାମ୍ନାରେ ତ ବିଜେଡ଼ି ନେତାମାନେ ଅନେକ ସମୟରେ ବିକ୍ଷୋଭ କରିଛନ୍ତି । ପୁଣି ରନ୍ଧନ ଗ୍ୟାସ ଦର ବଢିବା ବେଳେ ବିଜେଡ଼ି ମହିଳା ମୋର୍ଚ୍ଚା ନେତ୍ରୀମାନେ ବି ଆନ୍ଦୋଳନ କରିଛନ୍ତି ।

ଏଥର କିନ୍ତୁ ବଜେଟରେ ସ୍ପଷ୍ଟ ଘୋଷଣା ପରେ ବିଜେଡ଼ି ପକ୍ଷରୁ ଶବ୍ଦଟିଏ ବି କୁହାଯାଉ ନାହିଁ । କେହି ବି ଦୃଢ ଭାବେ ଏହାର ବିରୋଧ କରି ନାହାନ୍ତି । ଗଛ ହଲୁନି କି ପତ୍ର । ଯେମିତି ଏଇ ତିନୋଟି ମୁଖ୍ୟ ପ୍ରସଙ୍ଗ ଆଉ ପ୍ରସଙ୍ଗ ହୋଇ ରହିନାହିଁ । କେନ୍ଦ୍ର ବିରୋଧରେ ସବୁ ସମୟରେ କହି ଆସୁଥିବା ବିଜେଡ଼ି ଏହାକୁ ଯେମିତି ଆଉ ପ୍ରସଙ୍ଗ କରିବାକୁ ଚାହୁଁନାହିଁ ।

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ପରେ ରାଜ୍ୟର ରାଜନୀତିରେ ଏମିତି ପରିବର୍ତ୍ତନ ଆସିଛି । ପୂର୍ବରୁ ପରସ୍ପରର ଘୋର ଶତ୍ରୁ ଥିବା ବିଜେଡ଼ି ଓ ବିଜେପି ପ୍ରାୟତଃ କେହି କାହା ବିରୋଧରେ ମୁହଁ ଖୋଲୁ ନାହାନ୍ତି । ଗଲା ସାଧାରଣ ନିର୍ବାଚନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ସବୁ ସମୟରେ ଉଭୟ ଦଳ ଆସି ପରସ୍ପର ବିରୋଧରେ ଫେରାଦ ହେଉଥିଲେ । ଏବେ ପାଟକୁରା ନିର୍ବାଚନ ଆଉ କେଇ ଦିନ ପରେ । ସେଠାରେ ବିଜେଡ଼ି ଓ ବିଜେପି ପରସ୍ପର ବିରୋଧରେ ଲଢୁଛନ୍ତି । ପୁଣି ବିଜୟ ମହାପାତ୍ର ସେଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ କେହି କାହା ବିରୋଧରେ କିଛି ବି କହୁ ନାହାନ୍ତି ।

ତେବେ କଥା ହେଉଛି- ଯେଉଁ ପ୍ରସଙ୍ଗକୁ ନେଇ ବିଜେଡ଼ି ସାରାରାଜ୍ୟରେ ଆନ୍ଦୋଳନ କରିଛି ଓ ଲୋକଙ୍କ ନିକଟତର ହୋଇଛି, ସେହି ପ୍ରସଙ୍ଗରେ ଦଳ ଚୁପ ରହିବା । ଏହା ଲୋକଙ୍କୁ ଭୁଲ ବାର୍ତ୍ତା ଦେଉଛି । ସତରେ କଣ କରିବେ, କାହାକୁ ବିରୋଧ କରିବେ, କାହାକୁ ଧରିବେ- ସେମାନେ କିଛି ଜାଣିପାରୁ ନାହାନ୍ତି ।

ଆହୁରି ଅସୁବିଧା ହେଉଛି- ପ୍ରସଙ୍ଗଭିତ୍ତିକ ରାଜନୀତିରେ ଡୋରି ବନ୍ଧା ହେବା । ପ୍ରସଙ୍ଗ ଆଲୋଚନା ନହେଲେ, ବିତର୍କ ନ ହେଲେ, ଆନ୍ଦୋଳନ ନ ହେଲେ ସବୁ ଏକପାଖିଆ, ଏକଚାଟିଆ ହୋଇ ଚାଲିବ ଯେ !

Leave A Reply

Your email address will not be published.