Latest Odisha News

‘ଲୋକସଭାରୁ ମହୁଆଙ୍କୁ ବହିଷ୍କାର କର’, ସଦାଚାର କମିଟିର ରିପୋର୍ଟରେ ଉଲ୍ଲେଖ!

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରାଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ଯାଞ୍ଚ କରିଥିବା ସଂସଦୀୟ ସଦାଚାର କମିଟି ତାଙ୍କୁ ଲୋକସଭାରୁ ବହିଷ୍କାର କରିବା ପାଇଁ ସୁପାରିସ କରିଛି। କମିଟି 500 ପୃଷ୍ଠା ସମ୍ବଳିତ ରିପୋର୍ଟରେ ମୈତ୍ରାଙ୍କ ଦ୍ବାରା କରାଯାଇଥିବା କାମକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଜଘନ୍ୟ ଓ ଅପରାଧିକ ବୋଲି ଦର୍ଶାଇବା ସହ ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନର ଆବଶ୍ୟକତା ରହିଛି ବୋଲି କହିଛି। ଏନଡିଟିଭି ଏପରି ଏକ ରିପୋର୍ଟ ପ୍ରକାଶ କରିଛି।

ଏଥିସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ବ୍ୟାପକ ତଦନ୍ତ କରାଯିବାକୁ କମିଟି ସୁପାରିସ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ମହୁଆ ମୈତ୍ରା ଏବଂ (ବ୍ୟବସାୟୀ) ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ହୋଇଥିବା କାରବାରର ତଦନ୍ତ ହେବାର ଆବଶ୍ୟକତା ରହିଛି।

ସଂସଦର ଶୀତକାଳୀନ ଅଧିବେଶନରେ ଏହି ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ପ୍ରଦାନ କରାଯିବ ଏବଂ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜି ପୂର୍ବାହ୍ନରେ, ଏନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟ୍ବିଟ୍ କରି ସୂଚନା ଦେଇଛନ୍ତି, ଲୋକପାଳ ମହୁଆ ମୈତ୍ରାଙ୍କ ନାଁରେ ଆସିଥିବା ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି।

ଦୁବେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ୟବସାୟୀ ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ମହୁଆ ଅନ୍ୟତମ ବ୍ୟବସାୟୀ ହୀରାନନ୍ଦାନୀଙ୍କ ତରଫରୁ ପ୍ରଶ୍ନ ପଚାରୁଥିଲେ। ଯେଉଁଥିପାଇଁ ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଗ୍ରହଣ କରିଥିଲେ।

ମହୁଆ କିନ୍ତୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହାକୁ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ସେ ଯେକୌଣସି ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି।

Comments are closed.