Latest Odisha News

BREAKING NEWS

ବେକାବୁ ଡେଙ୍ଗୁ, ରାଜ୍ୟ ସରକାର ପଙ୍ଗୁ କହି ରାଜ୍ୟ ସରକାର ଓ ବିଏମସିକୁ ବିଜେପିର କଟାକ୍ଷ

ଭୁବନେଶ୍ୱର: “ଗଲି ଗଲି ମେ ଶୋର୍ ହୈ, ଡେଙ୍ଗୁ ବଡା ଜୋର୍ ହୈ”। ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବା ବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି ବୋଲି କହି ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମହାନ୍ତି।

ରାଜ୍ୟ ସାରା ଡେଙ୍ଗୁ ରୋଗ ଆତଙ୍କ ସୃଷ୍ଟି କରିଛି ଏବଂ ବିଶେଷ ଭାବେ ଦୈତ୍ୱନଗରୀ ଭୁବନେଶ୍ୱର ଓ କଟକରେ ଏହା ଭୟଙ୍କର ରୂପ ନେଇଛି। କେବଳ ଭୁବନେଶ୍ୱରରେ ୧୫ଶହ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ରୁ ଅଧିକ ପୀଡିତଙ୍କ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରିଛି।  ଭୁବନେଶ୍ୱର ଓ କଟକର ପ୍ରତି ତୃତୀୟ ଘରେ ଡେଙ୍ଗୁ ପୀଡିତ । ରାଜ୍ୟରେ ସ୍ୱାୟତ ଶାସନ ବାଟବଣା ହୋଇଛି । ରାଜଧାନୀ ସହରରେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସି ଉଭୟଙ୍କ ଦାୟିତ୍ୱହୀନତା ପାଇଁ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି । ପ୍ରତି ବର୍ଷ ଡେଙ୍ଗୁ ରୋଗ କାୟା ବିସ୍ତାର କରିଚାଲିଛି । ୨୩ ବର୍ଷ ଶାସନରେ ଥିବା ସତ୍ତ୍ୱେ ବିଜେଡି ସରକାରର ‘ପରିମଳ ପରିଚାଳନା’ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ଡେଙ୍ଗୁ ରୋଗ ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ସର୍ବଦା ଚିତ୍କାର କରି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଡେଙ୍ଗୁରେ ଆକ୍ରାନ୍ତ ପୀଡିତଙ୍କ ଜୀବନ କ’ଣ ମୂଲ୍ୟହୀନ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ପ୍ରଶ୍ନ କରିଛନ୍ତି ।

‘ତୋଗଲକି ଶାସନ’ ଭଳି ଯାହା ପାଟିରୁ ବାହାରିଲା ତାହା ଆଇନରେ ପରିଣତ କରିଦେଉଛନ୍ତି । “ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ” – ଏଭଳି ଅଦ୍‌ଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ଚରମ ଅବହେଳା କାରଣରୁ ରାସ୍ତା ଘାଟ, ନାଳ ନର୍ଦ୍ଦମାର ଦୁର୍ଦ୍ଦଶା ଚରମ ସୀମା ଅତିକ୍ରମ କରିଛି । ବର୍ଷା ପାଣି ଜମା ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ରାଜ୍ୟ ସରକାର ସଠିକ୍ ସମୟରେ ମଶା ନିୟନ୍ତ୍ରଣର କାମ କଲେ ନାହିଁ, ଯଥା ମଶାତେଲ, ଜାଗା ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେଲେ ନାହିଁ । ଡେଙ୍ଗୁ ରୋଗ ନିୟନ୍ତ୍ରଣହୀନ ହେବା ପରେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ମିଛ ପ୍ରଚାର ପ୍ରସାର କରି ବାଃ ବାଃ ନେବା ପାଇଁ ଉଦ୍ୟମ କଲେ ସତ, କିନ୍ତୁ ଗ୍ରାଉଣ୍ଡ ଜିରୋରେ କୌଣସି ପଦକ୍ଷେପ ନିଆଯାଇ ନାହିଁ  ବୋଲି ସେ କହିଛନ୍ତି।

Comments are closed.