Latest Odisha News

BREAKING NEWS

ଟଙ୍କପାଣି ରୋଡରୁ ହଟିଲା ଜବରଦଖଲ, ୯ ହଜାର ସ୍କୋୟାର ଫୁଟ୍‌ର ଜମି ଅବରୋଧମୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ଼ରୁ ହଟିଲା ଜବରଦଖଲ । ଗୁରୁବାର ପ୍ରାୟ ୯ ହଜାର ସ୍କୋୟାର ଫୁଟ୍‌ର ଜମିକୁ ଅବରୋଧମୁକ୍ତ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏନଫୋର୍ସମେଣ୍ଟ ଟିମ୍ । ସ୍ଥିତି ବାନ ସମ୍ପତ୍ତିକୁ ଯିବା ଲାଗି ଥିବା ରାସ୍ତା ଉପରେ ବାଞ୍ଛାନିଧି ବହଳ ଓ ନକୂଳ ବହଳ ନାମକ ୨ ଜଣ ବ୍ୟକ୍ତି ବେଆଇନ୍ ଭାବେ ଘର ନିର୍ମାଣ କରି ଭଡ଼ା ଲଗାଇଥିଲେ । ଏନେଇ ପ୍ରଭାରଞ୍ଜନ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିସହ ଉକ୍ତ ଜମିକୁ ଜବରଦଖଲମୁକ୍ତ କରାଇ ରାସ୍ତା ଲାଗି ବାଟ ଦେବାକୁ ଅପିଲ୍ କରିଥିଲେ ।

ସେପ୍ଟେ୍ଟମ୍ବର ୪ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଉକ୍ତ ପ୍ଲଟ୍‌’କୁ ଜବରଦଖଲମୁକ୍ତ କରିବାକୁ ରାୟ ଦେଇଥିଲେ । ଏଥିସହ ରାୟର ୬ ସପ୍ତାହ ଭିତରେ ଉଚ୍ଛେଦ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏନେଇ ବିଏମସି ଦକ୍ଷିଣ ପୂର୍ବ ଜୋନ୍‌’ର ଜୋନାଲ ଡେପୁଟି କମିଶନରଙ୍କ ରିକ୍ୟୁଜିସନ୍ କ୍ରମେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଗୁରୁବାର ଏହି ଉଚ୍ଛେଦ କରିଛିା ଉଚ୍ଛେଦରେ ୪ଟି କୋଠା ଘର, ୭ଟି ଆଜବେଷ୍ଟ ଘର, ୩ କାଠ କ୍ୟାବିନ୍ ଓ ଗୋଟିଏ ଟିଣ ଦୋକାନ ଭଙ୍ଗାଯାଇଛି ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ ଲାଗି ବଡ଼ଗଡ଼ ଥାନା ଅନ୍ତର୍ଗତ ପ୍ଲଟ ନମ୍ବର ୧୨୪୯ ଓ ୧୨୪୯/୧୭୭୮ରେ ଉଚ୍ଛେଦ ଲାଗି ପହଞ୍ଚିଥିଲା । ଉଚ୍ଛେଦ ସମୟରେ ପ୍ରବଳ ବିରୋଧ ହେବା ଆଶଙ୍କାରେ ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଥାନା କର୍ତ୍ତୃପକ୍ଷଙ୍କ ସମତେ ୨ ପ୍ଲାଟୁନ୍ ରିଜର୍ଭ ପୋଲିସ୍ ଫୋର୍ସ ଓ ଗୋଟିଏ ସେକ୍ସନ୍ ମହିଳା ପୋଲିସ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଉଚ୍ଛେଦ ଆରମ୍ଭ ହେବା ସମୟରେ ଜବରଦଖଲକାରୀ ଉଚ୍ଛେଦକୁ ବିରୋଧ କରିଥିଲେ । ପରେ ପୋଲିସ ହସ୍ତକ୍ଷେପରେ ଉଚ୍ଛେଦ କରାଯାଇ ରାସ୍ତା ଲାଗି ଉଦ୍ଦିଷ୍ଟ ଜମିକୁ ଅବରୋଧମୁକ୍ତ କରାଯାଇଥିଲା ।

ହାଇ କୋର୍ଟଙ୍କ ନିର୍ଦ୍ଦେଶ ମୂତାବକ ଆସନ୍ତା ୧୪ ତାରିଖ ସୁଦ୍ଧା ଏଠାରୁ ଜବରଦଖଲ ହଟାଇବାର ଥିଲା । ପୂର୍ବରୁ ଟିମ୍ ପକ୍ଷରୁ ଜବରଦଖଲ ହଟାଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ପୋଲିସ୍ ଫୋର୍ସ ମିଳୁ ନ ଥିବାରୁ ଉଚ୍ଛେଦ କାର୍ଯ୍ୟ କରାଯାଇପାରୁ ନ ଥିଲା । ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଓଏସଡି ଦେବରାଜ ସେଠୀ, ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସମେତ ୨୨, ୨୪ ଓ ୨୫ ନମ୍ବର ଏନଫୋର୍ସମେଣ୍ଟ ସ୍କ୍ୱାଡ ଓ ବିଏମସି ଦକ୍ଷିଣ ପୂର୍ବ ଜୋନର ଜୋନାଲ୍ ସ୍କ୍ୱାଡ ଉପସ୍ଥିତ ଥିଲେ ।

Comments are closed.