ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ଯାୟ ମତଦାନ ବେଳେ ଇଭିଏମରେ ତ୍ରୁଟି ଆସିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଦୁଇ ପୋଲିଂ ଅଫିସର। ଭୋଟିଂ ପ୍ରକ୍ରିୟାରେ ବିଳମ୍ବ ହେବାରୁ ଦୁଇ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ କମିଶନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।
ସିଇଓଙ୍କ ସୂଚନା ଅନୁଯାୟୀ, ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମର ଓ ଅନ୍ୟ ଜଣେ ନର୍ଲାର ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଇଭିଏମ୍ ତ୍ରୁଟି ସାମ୍ନାକୁ ଆସିବା କ୍ଷଣି ହିଁ ୨ ଘଣ୍ଟା ଭିତରେ ଏହାର ସମାଧାନ କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ‘ରାଜ୍ୟର ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର ସାଢେ ୫ଟାରୁ ମକ୍ ପୋଲ୍ ହୋଇଛି । ମକ୍ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । ୭୩୦୩ ବୁଥରୁ ବାଲଟ ୟୁନିଟ ୫୨ ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ ୫୮ ପରିବର୍ତ୍ତନ ହୋଇଛି । ଭିଭିପାଟ ୪୩ ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର ୧ ପ୍ରତିଶତରୁ କମ୍। ମକ ପୋଲ ସମୟରେ ଏହି ତ୍ରୁଟି ଜଣାପଡିଯାଏ । ସେଥିପାଇଁ ଭୋଟରଙ୍କୁ ବ୍ୟସ୍ତ ହେବାର ନାହିଁ ।
୪ ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ ଆଶ୍ୱସ୍ତ କରିଛନ୍ତି ସିଇଓ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ପାଗ ଅନୁକୂଳ ଥିବାରୁ ବହୁ ଲୋକ ବୁଥ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସବୁବେଳେ ଭଲ ଭୋଟିଂ ହୋଇଛି ।’
‘କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ତ୍ରୁଟି ସାମ୍ନାକୁ ଆସିଛି। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି ୧୦ ଟି ବାଲଟ ୟୁନିଟ, ୪୧ ଟି କଣ୍ଟ୍ରୋଲ ୟୁନିଟ ଓ ୧୯ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଇଭିଏମ କମିଶନ ବେଳେ ଏଠାରେ ସମସ୍ୟା ରହିବ ବୋଲି ସୂଚନା ରହିଥିଲା । ସେଥିପାଇଁ ୫୦ ପ୍ରତିଶତ ଅଧିକ ଇଭିଏମ କମିଶନ ହୋଇଛି ।
ଅନ୍ୟପଟେ ଭୋଟର ଭୋଟ ଦେବାକୁ ଲମ୍ବା ଲାଇନରେ ଅଛନ୍ତି। ସେହିପରି ବିଚ୍ଛିନ୍ନାଞ୍ଚଳରେ ମତଦାନ ନେଇ ଖୁସି ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ୨୦୧୯ରେ ୨୩ଟା ବୁଥ୍ ଲୋକେ ବିଏସଏଫ କ୍ୟାମ୍ପ୍ରେ ଭୋଟ ଦେଇଥିଲେ। ମାତ୍ର ଏଥର ସେମାନେ ନିଜ ଗାଁରେ ଭୋଟ୍ ଦେଉଛନ୍ତି। ଗତ ଥର ୧୦ଟି ବୁଥ୍ରେ କେହି ଭୋଟ ଦେଇ ନଥିଲେ। ମାତ୍ର ଏଥର ସେହି ୧୦ ବୁଥ୍ରେ ମତଦାନ ଚାଲିଛି ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।’
Comments are closed.