Latest Odisha News

BREAKING NEWS

ନିରଞ୍ଜନ ଓ ବାହିନୀପତିଙ୍କ ଉପରେ ବର୍ଷିଲେ ପୂର୍ବତନ ଓପିସିସି ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷା

ଭୁବନେଶ୍ୱର: ଆସନ୍ତା ବିଧାନସଭାକୁ ଆଖିଆଗରେ ରଖି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦବୀରୁ ହଟାଯିବା ପରିପ୍ରେକ୍ଷୀରେ ପୂର୍ବତନ ଓପିସିସି ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ଉପରେ ବର୍ଷିଛନ୍ତି ।

“ ନିରଞ୍ଜନ ଦଳର ବରିଷ୍ଠ ସହଯୋଗୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛନ୍ତି ନା ଏକୁଟିଆ ଚାଲିଛନ୍ତି, ଏହା ଏବେ ସ୍ପଷ୍ଟ ହୋଇଯାଇଛି । ଜଣ ପରେ ଜଣେ ଦଳ ତ୍ୟାଗ କରି ଚାଲିଛନ୍ତି, କିନ୍ତୁ ସେମାନଙ୍କୁ ଅଟକାଇବାକୁ ସେ କିଛି ବି ଉଦ୍ୟମ କରିନାହାନ୍ତି । ସେ ପୂର୍ବତନ ଓପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନ ଉଠାଇଥିଲେ । ଏବେ ତାଙ୍କ ନିଜ ନେତୃତ୍ୱ ପ୍ରତି ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି,” ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଏଆଇସିସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ସମ୍ପର୍କରେ ଶ୍ରୀମତୀ ମହାପାତ୍ର କହିଛନ୍ତି, ଏହା ଭିତ୍ତିହୀନ ।

ଏଠାରେ ଉଲ୍ଲେଖଯୋଗ୍ୟ, ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଡ଼ିସେମ୍ବର ୬ ତାରିଖରେ ଶ୍ରୀକାନ୍ତ ଜେନାଙ୍କୁ ଓପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିତାଡ଼ିତ କରି ଗଣେଶ୍ୱର ବେହେରାଙ୍କୁ ଏହି ପଦରେ ଅବସ୍ଥାପିତ କରିଥିଲେ ।

ଏହାର ଠିକ୍ ୩ଦିନ ପରେ ଅର୍ଥାତ୍ ଡ଼ିସେମ୍ବର ୯ ତାରିଖ ଦିନ ଶ୍ରୀକାନ୍ତ ଓପିସିସିର ସମସ୍ତ କୋର୍ କମିଟି ତଥା କ୍ୟାମ୍ପେନ କମିଟିରୁ ଇସ୍ତଫା ପ୍ରଦାନ କରିଥିଲେ ।

Leave A Reply

Your email address will not be published.