Latest Odisha News

BREAKING NEWS

ଜମି କେଳେଙ୍କାରୀ ନେଇ ମାରିକ୍- ନାଗେଶ୍ବର କଳି

ଭୁବନେଶ୍ବର: ସରକାରୀ ଜମି କେଳେଙ୍କାରୀକୁ ନେଇ ବଡ ଅଭିଯୋଗ । ଦୁଇ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଏମ୍‌. ନାଗେଶ୍ୱର ରାଓ ବନାମ ସଂଜୀବ ମାରିକ । ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଏମ୍‌. ନାଗେଶ୍ୱର ରାଓଙ୍କ ଚାଞ୍ଚଲ୍ୟକର ବୟାନ ପରେ ସରଗରମ ଚର୍ଚ୍ଚା । ରାଜଧାନୀରେ ଜମି ବିକ୍ରି କେଳେଙ୍କାରୀକୁ ନେଇ ସଂଜୀବ ମାରିକଙ୍କ ନାଁରେ ପରୋକ୍ଷରେ ଅଭିଯୋଗ ଆଣିଥିଲେ ନାରେଶ୍ୱର ରାଓ । ଆଉ ମାରିକ ବି ଚୁପ୍ ରହି ନାହାନ୍ତି । ଖୋଲାଖୋଲି କହିଛନ୍ତି, ପୂର୍ବ ରାଗ ଶୁଝାଉଛନ୍ତି ନାଗେଶ୍ୱର ।

କ’ଣ କହିଥିଲେ ନାଗେଶ୍ୱର ରାଓ ?

ଜମି ଠକେଇକୁ ନେଇ ପୁରୁଣା ଫାଇଲ୍ ଖୋଲିଛନ୍ତି ନାଗେଶ୍ୱର । ଭୁବନେଶ୍ୱର ପାତ୍ରପଡା ନିକଟରେ ୪ହଜାର ବର୍ଗଫୁଟ୍ ଜମି ୯ ଲକ୍ଷ ୫୦ହଜାର ଟଙ୍କା ଦେଇ କିଣିଥିଲେ ନାଗେଶ୍ୱର ରାଓ । ହେଲେ ମ୍ୟୁଟେସନ୍ ହୋଇ ନପାରିବାରୁ ତହସିଲଦାରଙ୍କୁ ପଚାରିବାରୁ ଏହା ସରକାରୀ ଜମି ବୋଲି ଜାଣିବାକୁ ପାଇଥିଲେ । ଏନେଇ ୨୦୧୫ରେ ସେ ଇଓଡବ୍ଲୁରେ ଏତଲା ଦେଇଥିଲେ । ତାଙ୍କ ଏତଲା ଗ୍ରହଣ କରାଯାଇଥିଲେ ବି ମାମଲା ପଂଜିକରଣ କରାଯାଇନଥିଲା । ସେତେବେଳେ ସଂଜୀବ ମାରିକ ପୋଲିସ ଡିଜି ଥିଲେ । ପରେ କୋର୍ଟରେ ମାମଲା କରିଥିଲେ ଓ ଟଙ୍କା ଫେରସ୍ତ ପାଇଥିଲେ ବୋଲି କହିଥିଲେ ନାଗେଶ୍ୱର ରାଓ । ସରକାରୀ ଜମି ବିକ୍ରି ପଛରେ ବଡ ରାକେଟ୍ କାମ କରୁଛି । ଏଥିରେ ଅନେକ ଆଇଏଏସ୍‌, ଆଇପିଏସ୍ ଅଧିକାରୀ ସଂପୃକ୍ତ ଥିବା ଅଭିଯୋଗ ଆଣିଥିଲେ ନାଗେଶ୍ୱର ରାଓ । ସେମାନଙ୍କ ବିରୋଧରେ ଆକ୍ସନ୍ ନେବାକୁ ଦାବି କରିଥିଲେ ନାଗେଶ୍ୱର ।

ଗୋହି ଖୋଳିଲେ ସଂଜୀବ ମାରିକ

ଏମ୍ ନାଗେଶ୍ୱର ରାଓଙ୍କ ଅଭିଯୋଗ ପରେ ମାନହାନୀ ମକଦ୍ଦମା କରିବାକୁ ଚେତାବନୀ ଦେବା ସହ ତାଙ୍କ ଗୋହି ଖୋଳିଥିଲେ ସଂଜୀବ ମାରିକା କୋଟିଏରୁ ଅଧିକ ଟଙ୍କାର ଦୁର୍ନୀତି ହେଲେ ହିଁ ଇଓଡବ୍ଲୁ ତଦନ୍ତ କରିଥାଏ । ନାଗେଶ୍ୱରଙ୍କ ଠକେଇ ଅଭିଯୋଗର ପରିମାଣ ୯ ଲକ୍ଷ ୫୦ ହଜାରା ତେଣୁ ସେ ଥାନାରେ ଅଭିଯୋଗ କରିବା କଥା । ଏଥିସହ ସିଆରପିଏଫ ଆଇଜି ଥିବା ବେଳେ କାଲିମେଳାରେ ଏକ ଫୋର୍ସ କମ୍ପାନି ପ୍ରତିଷ୍ଠା କରିବାକୁ ନାଗେଶ୍ୱର ସଂଜୀବ ମାରିକଙ୍କୁ ଚିଠି ଲେଖିଥିଲେ । ଏହାପରେ ସେ ତାଙ୍କୁ ଅନୁମତି ଦେଇଥିଲେ । ତେବେ ଆଇଡି ବ୍ଲାଷ୍ଟରେ ଜଣେ ଡେପୁଟି କମାଣ୍ଡାଣ୍ଟଙ୍କ ମୃତ୍ୟୁ ହେବା ପରେ ଖୋଳତାଡ ହୋଇଥିଲ।। ସିଆରପିଏଫ୍ କର୍ତ୍ତୃପକ୍ଷଙ୍କୁ ସଂଜୀବ ମାରିକ ନାଗେଶ୍ୱରଙ୍କ ଚିଠି ଦେଖାଇଥିଲେ । ଏହାପରେ ନାଗେଶ୍ୱରଙ୍କୁ ତାଗିଦ କରାଯାଇଥିଲା । ତେଣୁ ସେତେବେଳର ରାଗ ରଖି ନାଗେଶ୍ୱର ମିଛ ଅଭିଯୋଗ ଆଣିଥିବା ସଂଜୀବ ମାରିକ କହିଛନ୍ତି ।

ରାଜଧାନୀରେ ଜମି କେଳେଙ୍କାରୀକୁ ନେଇ ଦୁଇ ଆଇପିଏସ୍ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ଓଡିଶା ସୂଚନା ଅଧିକାର ଅଭିଯାନ ୨୫୦କୋଟି ଟଙ୍କା ମୂଲ୍ୟର ସରକାରୀ ଜମି ଠକେଇ ଅଭିଯୋଗ ଆଣିିଛି ।

Leave A Reply

Your email address will not be published.