ବଣାଇ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଛନ୍ତି ଅବସରପ୍ରାପ୍ତ ଆରଆଇ । ୩୦ ତାରିଖ ବୁଧବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସସ୍ମିତା ପାରହି ବଣାଇ ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ନୃସିଂହଚରଣ ତ୍ରିପାଠୀ (୭୮)ଙ୍କୁ ୩ ବର୍ଷ ଜେଲ୍ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ନଦେଲେ ଜେଲ୍ ଦଣ୍ଡ ଅଧିକ ୬ ମାସ ବୃଦ୍ଧି ହେବ ବୋଲି ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ରିଟାୟାର୍ଡ ଆରଆଇ ଶ୍ରୀ ତ୍ରିପାଠୀଙ୍କ ନାମରେ ୨୦୦୪ରୁ ଏକ ଲାଞ୍ଚ ମାମଲା ମଧ୍ୟ ରହିଛି।
ସୂଚନା ଅନୁସାରେ ୧୯୯୫ ମସିହା ଡିସେମ୍ବର ୨୯ ତାରିଖରେ ଆୟ ବର୍ହିଭୂତ ମାମଲାରେ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ୨୯ ଡିସେମ୍ବର ୧୯୯୫ରେ ଏକ ମାମଲା ରୁଜୁ କରିଥିଲା। ତାଙ୍କ ପାଖରେ ଆୟଠାରୁ ୯୭.୬୪ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଏହି ଘଟଣା ସମ୍ପର୍କରେ ରାଉରକେଲା ଭିଜିଲାନ୍ସ ନିରୀକ୍ଷକ ବିଷ୍ଣୁଚରଣ ଦାଶ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ମାମଲାର ଶୁଣାଣି ଚାଲିଥିବା ବେଳେ ବୁଧବାର କୋର୍ଟ ଦଣ୍ଡାଦେଶ ଦେଇଛନ୍ତି।