ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଅବକାରୀ ଥାନା ଏବଂ ବାରିପଦା ମୋବାଇଲ ୟୁନିଟ୍ ପକ୍ଷରୁ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନାମୁତାବକ, ଜଗନ୍ନାଥପୁର, କୁଣ୍ଡଳବଣି, ମହୁଲିଆ ଏବଂ ଜ୍ୟୋତିପୁର ଅଞ୍ଚଳରେ ଗୁରୁବାର ଅପରାହ୍ନ ସମୟରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଜଗନ୍ନାଥପୁର ଗ୍ରାମରୁ କାଶୀରାମ ସିଂ ଙ୍କ ନିକଟରୁ ୨୮ ଲିଟର ଓ ପବିତ୍ର ସିଂ ଙ୍କ ନିକଟରୁ ୨୫ ଲିଟର ଏବଂ କୁଣ୍ଡଳବଣି ଗ୍ରାମରୁ ଦୁର୍ଗା ସିଂ ଙ୍କ ନିକଟରୁ ୨୭ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିସହ ଅବକାରୀ ବିଭାଗ ପକ୍ଷରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସେହପରି ମହୁଲିଆ ଅଞ୍ଚଳରୁ ୩୯୦ ଲିଟର ଦେଶି ମଦ ଓ ୪୫୦୦ ଲିଟର ମହୁଲ ପୋଚ ଏବଂ ଜ୍ୟୋତିପୁର ଅଞ୍ଚଳରୁ ୨୩୦ ଲିଟର ଦେଶି ମଦ ଓ ୪୧୫୦ ଲିଟର ମହୁଲ ପୋଚ ଜବତ କରାଯାଇଥିଲା। ତେବେ ଏହି ଚଢ଼ାଉରେ ସର୍ବମୋଟ ୭୦୦ ଲିଟର ଦେଶୀ ମଦ ଏବଂ ୮୬୫୦ ଲିଟର ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ଆଗାମୀ ଦିନରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ସୂଚନା ରହିଛି ।