ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେସନର ଏଏସଆଇ-କମ୍-ଓଆଇସି ବିଜୟ କୁମାର ମହାନ୍ତଙ୍କୁ ୪୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲେ।
ସୀତାରାଣୀ ପଟ୍ଟାୟତ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ଅବୈଧ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଯାହା ବଦଳରେ ସେ ନିରବଚ୍ଛିନ୍ନ ଭାବେ ବ୍ୟବସାୟିକ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଥିଲେ।
ଅଭିଯୋଗ ଅନୁଯାୟୀ, ପ୍ରାୟ ଚାରି ମାସ ପୂର୍ବେ ଅବକାରୀ ଅଧୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ବିକ୍ରେତାଙ୍କଠାରୁ ନିୟମିତ ଟଙ୍କା ଦାବି କରୁଥିଲେ। ଏହା ପରେ ବିକ୍ରେତା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇଥିଲେ।
ପରେ ବିକ୍ରେତାଙ୍କଠାରୁ ଲାଞ୍ଚ ରାଶି ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରାଯାଇଥିଲା। ଅପରପକ୍ଷରେ ସୀତାରାଣୀ ପଟ୍ଟାୟତଙ୍କ ସହ ଜଡିତ ତିନୋଟି ସ୍ଥାନରେ ଏବଂ ବିଜୟ କୁମାର ମହାନ୍ତଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଯାହା ଦ୍ୱାରା ଜଣାପଡ଼ିବ ଯେ ସେମାନଙ୍କ ପାଖରେ ଆୟବର୍ହିଭୂତ ସମ୍ପତ୍ତି ଅଛି କି ନାହିଁ।
ତେବେ ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।
Comments are closed.