Latest Odisha News

ଦ୍ବିତୀୟ ଥର ପାଇଁ ଅପରାଜିତାଙ୍କୁ ‘ପ୍ରତିଷ୍ଠା ଦିବସ’ରେ ଆମନ୍ତ୍ରଣ କରାନଯିବା ପଛର କାରଣ କ’ଣ?

ଭୁବନେଶ୍ୱର: ରାତି ପାହିଲେ ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ। ଏହାକୁ ନେଇ ବିଏମସି ତରଫରୁ ବ୍ୟାପକ ଆୟୋଜନା ହୋଇଛି। ହେଲେ ଖୋଦ୍ ରାଜଧାନୀର ସାଂସଦ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କୁହାଯାଉଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ମିିଳିନଥିବା ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହାପରେ ଦ୍ବିତୀୟ ଥର ପାଇଁ ଅପରାଜିତାଙ୍କୁ ‘ପ୍ରତିଷ୍ଠା ଦିବସ’ରେ ଆମନ୍ତ୍ରଣ କରାନଯିବା ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି।

ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିମନ୍ତ୍ରଣ ନମିଳିବାରୁ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟରରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରିତ ତାଲିକାରୁ ତାଙ୍କୁ କାହିଁକି ବାଦ୍ ଦିଆଗଲା ବୋଲି ସେ ପ୍ରଶ୍ନ କରିବା ସହ ଏହା ଉଦ୍ଦେଶ୍ୟମୂଳକ ନା ତାଙ୍କର ଭୁଲ୍ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଏକ ଚିଠିକୁ ମଧ୍ୟ ପୋଷ୍ଟ କରି ୨୦୨୨ରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରୁ ତାଙ୍କୁ ବାଦ୍ ଦେବା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହା ଜାଣିଶୁଣି କରାଯାଇଛି ନା କେବଳ ଉଦାସୀନତା ବୋଲି ପ୍ରଶ୍ନ କରିଥିଲେ।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ସାଂସଦ ପଦବୀରେ ରହିବା ଏକ ସାମ୍ବିଧାନିକ ପଦବୀ, ରାଜ୍ୟ ସରକାର ତାଙ୍କୁ ଅନୁକମ୍ପା ସ୍ୱରୂପ କିଛି ଦେଇନାହାନ୍ତି। ପ୍ରତିଷ୍ଠା ଦିବସ ଶାସକ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବରଂ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ଉତ୍ସବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ସମ୍ପର୍କରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ପଚରାଯିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ।

ଶ୍ରୀମତୀ ଷଡ଼ଙ୍ଗୀ କିନ୍ତୁ ଏହି ପ୍ରସଙ୍ଗକୁ ଉପଯୁକ୍ତ ମଞ୍ଚରେ ଉଠାଇବେ ବୋଲି ପ୍ରକାଶ କରିବା ସହ ରାଜ୍ୟ ସରକାର ପ୍ରତିଷ୍ଠା ଦିବସ ପାଳନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ବାଦ୍ ଦେବା ପ୍ରସଙ୍ଗରେ ଆତ୍ମସମୀକ୍ଷା କରିବାକୁ ଆହ୍ୱାନ କରିଛନ୍ତି। ଲଗାତାର ଦୁଇ ବର୍ଷ ଧରି ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ପରେ ଏହି ପ୍ରସଙ୍ଗ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଉଲ୍ଲେଖଯୋଗ୍ୟ, ବିଏମସିରେ ଅଧିକାଂଶ ବିଜେଡି ପ୍ରତିନିଧି ରହିଥିବା ବେଳେ ସମସ୍ତ ବିଧାୟକ ମଧ୍ୟ ବିଜେଡିର। ବିରୋଧୀ ଶିବିରର ଏହି ନେତ୍ରୀ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ସମାଲୋଚନା କରନ୍ତି।

Comments are closed.