ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଅଭିନେତା ଅଲୁ ଅର୍ଜୁନ ତାଙ୍କ ଫିଲ୍ମ ‘ପୁଷ୍ପା-୨’ ରିଲିଜ୍ ହେବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ପଟେ ଫିଲ୍ମଟି ଇନକମରେ ରେକର୍ଡ ଭାଙ୍ଗୁଥିବା ବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ଏହି ଘଟଣାକୁ ନେଇ ଫ୍ୟାନ୍ସ ମଧ୍ଯ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ କିଛି ଲୋକ ଅଲୁ ଅର୍ଜୁନଙ୍କ ସମର୍ଥନରେ ଛିଡା ହୋଇଥିଲା ବେଳେ ଆଉ କିଛି ତାଙ୍କୁ ବିରୋଧ କରୁଛନ୍ତି।
ଅଲୁ ଅର୍ଜୁନଙ୍କ ସମର୍ଥନରେ କିଛି ପ୍ରଶଂସକ ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ପୋଷ୍ଟ କରୁଥିବାବେଳେ ଅନ୍ୟପଟେ କିଛି ଲୋକ ମିଛ ଆଇଡି ଖୋଲି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।
ସେ କହିଛନ୍ତି, ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କ ଭାବନାକୁ ଦାୟିତ୍ବବାନ ଭାବରେ ପରିପ୍ରକାଶ କରନ୍ତୁ। ଅନଲାଇନ୍ ଏବଂ ଅଫଲାଇନରେ କୌଣସି ପ୍ରକାରର ଅପମାନଜନକ ଭାଷା କିମ୍ବା ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ। ମିଛ ଆଇଡି ଖୋଲି ପ୍ରଶଂସକ ହେବା ବାହାନାରେ ଆଇନକୁ ନିଜ ହାତକୁ ନିଅନ୍ତୁ ନାହିଁ। ନଚେତ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଏହାରି ଭିତରେ ଆଜି ଓସମାନିଆ ୟୁନିଭର୍ସିଟିର କିଛି ସଦସ୍ୟ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବଲି ହିଲ୍ସସ୍ଥିତ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ଘର ବାହାରେ ଥିବା ଫୁଲକୁଣ୍ଡ ଭଙ୍ଗାରୁଜା କରିଥିଲେ। ଏହା ବ୍ୟତୀତ ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ତେବେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।