ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା । କିନ୍ତୁ ମନରେ ସ୍ଵତ୍ତ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ ଏବଂ ଉଭୟ ପ୍ରକୃତି ଓ ପୁରୁଷ ସ୍ୱରୂପରେ ସେ ହିଁ ବିଦ୍ୟମାନ, ତେବେ ପ୍ରକୃତି ସ୍ୱରୂପିଣୀ ଶକ୍ତି କିଏ ଓ କଣ? ଏହାର ଦାର୍ଶନିକ ବିଚାର କଲେ ଶାସ୍ତ୍ର କହେ “ସାମର୍ଥ୍ୟ ସର୍ବଭାବନାଂ ଶକ୍ତିରିତ୍ୟଭିଧିୟତେ “ଅର୍ଥାତ ଉତ୍ପତି, ସ୍ଥିତି, ଧ୍ୟାନ, ଧାରଣା ଆଦି ବିବିଧ ଭାବ ବିଶେଷର ସାଧନ ସାମର୍ଥ୍ୟ ହିଁ “ଶକ୍ତି ” । ଯେହେତୁ ଶକ୍ତି ମଧ୍ୟ ପରଂବ୍ରହ୍ମଙ୍କ ଏକ ସ୍ୱରୂପ ତେଣୁ ଏହାକୁ ନିର୍ଗୁଣ ଓ ନିରାକାର ହେବା କଥା, କିନ୍ତୁ ଶକ୍ତି ସ୍ୱରୂପିଣୀ ହେଉଛନ୍ତି ଗୁଣlନ୍ୱିତା ଓ ସକଳ କର୍ମର ସାଧିକା ତଥା ପ୍ରବର୍ତ୍ତିକା । ସେଥିପାଇଁ ପ୍ରତ୍ୟେକ ସମୟରେ ନିର୍ଗୁଣ, ନିରାକାର ପରଂବ୍ରହ୍ମ ସଗୁଣ ଓ ସାକାର ହେବା ମାତ୍ରେ ଯୋଗମାୟା ଙ୍କ ଦ୍ୱାରା ଆବିଷ୍ଟ ହୁଅନ୍ତି । ସେଥିପାଇଁ ଗୀତାରେ କୁହାଯାଇଛି “ଯୋଗମାୟା ସମାବୃତ୍ତ ” ।
ପ୍ରଥମେ ପ୍ରଥମେ ମନ୍ତ୍ରଦ୍ରଷ୍ଟା ମୁନି ଋଷିମାନେ ପରଂବ୍ରହ୍ମଙ୍କ ଏହି ଶକ୍ତି ସ୍ୱରୂପକୁ “ପରାଶକ୍ତି “ଭାବରେ ଆଖ୍ୟାତ କଲେ । ସନାତନ ଧର୍ମରେ ଶକ୍ତି ଉପାସନାର ପ୍ରଚଳନ ହେଲା । ମାତୃସ୍ୱରୂପିଣୀ ଦେବୀ ଶକ୍ତିଙ୍କ ବିଭିନ୍ନ ରୂପ ଓ ଭାବର ପରିପ୍ରକାଶ ଘଟି ଏକ ସ୍ୱତନ୍ତ୍ର ଶାକ୍ତ ପରମ୍ପରା ସୃଷ୍ଟି ହେଲା । ଜଗତର ମାତୃରୂପା ଶକ୍ତିଙ୍କୁ ଆରାଧନା କରିବାର ସମସ୍ତ ସାଧନ (ମନ୍ତ୍ର, ତନ୍ତ୍ର, ପୂଜା ଵିଧି )ନିର୍ଣ୍ଣୟ କରାଗଲା । ପ୍ରଥମେ ପୃଥିବୀ ଓ ପ୍ରକୃତିକୁ ମାତୃରୂପେ ଆରାଧନା କରାଗଲା । ଶାକ୍ତ ପରମ୍ପରାରେ ବିଭିନ୍ନ ଦେବୀ ସ୍ୱରୂପ ର କଳ୍ପନା କରାଯାଇଛି । ବିଶେଷ ଭାବରେ ଋଗ ବେଦରେ ପରଂବ୍ରହ୍ମଙ୍କ ଦେବୀ ସ୍ୱରୂପର ଆଲୋଚନା ହୋଇଛି । ଏପରିକି ବିଭିନ୍ନ ଯନ୍ତ୍ର ଉପାସନା ମଧ୍ୟ ଶାକ୍ତ ପରମ୍ପରାର ଅଂଶ ବୋଲି ବିବେଚନା କରାଯାଏ । କିନ୍ତୁ ଅଧୁନା ସର୍ବତ୍ର ପୂଜିତ ସର୍ବଶକ୍ତିମୟୀ ଜଗତଜନନୀ ଦେବୀ ଦୁର୍ଗାଙ୍କର କଳ୍ପନା ଉପନିଷଦ ଯୁଗରୁ ଆରମ୍ଭ ହୋଇଛି । ଦେବୀ ଉପନିଷଦ କହେ “ତlମଗ୍ନି ବର୍ଣା ତପସାଜ୍ୱଳନ୍ତି, ବୈରୋଚନୀଂ କର୍ମଫଳେଷୁ ଦୁଷ୍ଟlମ, ଦୁର୍ଗା ଦେବୀ ଶରଣମହଂ ପ୍ରାପଦ୍ୟେ, ସୁତରାଂ ନାଶୟତେ ନମଃ ” । କେବଳ ଉପନିଷଦ ନୁହେଁ ପରବର୍ତ୍ତୀ ସମୟରେ ପୁରାଣମାନଙ୍କରେ ଦେବୀ ସ୍ୱରୂପର ବିଭିନ୍ନ ରୂପ ପରିକଳ୍ପିତ ହେଲା । ସେଥିପାଇଁ ବର୍ତମାନ ପୂଜିତା ଶ୍ରୀଦୁର୍ଗା ଦେବୀଙ୍କୁ ମଧ୍ୟ ଆମେ ବିଭିନ୍ନ ରୂପରେ ଦେଖୁ ଯଥା, ଦ୍ବିଭୁଜା, ଚତୃଭୁଜା, ଷଢ଼ଭୁଜା, ଓ ଅଷ୍ଟଭୁଜା ଇତ୍ୟାଦି । ଦେବୀ ଦୁର୍ଗାଙ୍କୁ ଅନେକ ଭାରତୀୟ (ସନାତନ ଧର୍ମୀ )ନିଜର କୂଳ ଦେବୀ ଭାବରେ ମଧ୍ୟ ଉପାସନା କରନ୍ତି । କିନ୍ତୁ ଏହିଠାରେ ମଧ୍ୟ କିଛି ବ୍ୟତିକ୍ରମ ଦେଖିବାକୁ ମିଳେ । କୌଳାଚାର ଅନୁସାରେ ତିନିଶକ୍ତିର ବିଶେଷ ଉପାସନା ଦୃଷ୍ଟି ଗୋଚର ହୁଏ ମହାକାଳୀ (ତମ ଗୁଣ ), ମହାଲକ୍ଷ୍ମୀ (ରଜ ଗୁଣ )ଓ ମହାସ୍ୱରସ୍ବତୀ (ସତ୍ତ୍ୱ ଗୁଣ )ର ପ୍ରତୀକ ଭାବରେ ଉପାସିତ ହୁଅନ୍ତି । ଏମିତି ସାଧାରଣ ଭାବରେ କହିଲେ ଶାକ୍ତ ପରମ୍ପରାରେ ଉଗ୍ରସ୍ଵଭାଵ ଧାରଣ କରିଥିବା କାଳୀକୂଳ ଓ ନମ୍ର ସ୍ଵଭାଵ ଧାରଣ କରିଥବା ଶ୍ରୀକୂଳ ହିଁ ବିଶେଷ ଭାବରେ ଆଦୃତ । ଏ ବିଶାଳ ଶାକ୍ତ ପରମ୍ପରାର ଆଲୋଚନା ଜାରି ରହିବ । ଆଜି କିନ୍ତୁ ଏହିଠାରେ ବିରାମ ଦେଇ ପରଂବ୍ରହ୍ମଙ୍କ ଚିତ୍ ଶକ୍ତି ରୂପେ ପ୍ରକାଶିତ ଓ ଆମର ପରମ ଆରାଧ୍ୟ ମା ଦୁର୍ଗେ ଦୁର୍ଗତିନାଶିନୀ ଙ୍କୁ ଆଜି ମଙ୍ଗଳ ମୂର୍ତ୍ତି ମିନାକ୍ଷୀ ରୂପେ ଉପାସନା କରିବା
“ଯୟା ଦେଵ୍ୟା ବିରହୀତଃ ସଶିବୋ ଅପି ନିରଥ୍ରକ, ନମସ୍ତସୈ ସୁମିନାକ୍ଷ୍ୟ ଦେବୌ ମଙ୍ଗଳ ମୂର୍ତୟେ ” । ଅର୍ଥାତ ଯେଉଁ ଦେବୀ (ଶକ୍ତି )ଙ୍କ ବିନା ଶିବଙ୍କର ମଧ୍ୟ ସାର୍ଥକତା ନାହିଁ । ସେହି ମଙ୍ଗଳ ମୂର୍ତ୍ତି ମିନାକ୍ଷୀ ଦେବୀଙ୍କୁ ନମସ୍କାର କରୁଛି । (ଦ. ତ୍ରୀ. ଉବାଚ )
ଜୟ ମା ଦୁର୍ଗା. ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ)
Comments are closed.