ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ବିଚାରକୁ ନେଲେ ଜଣାଯାଏ ସାଧାରଣତଃ ଉତ୍କଳୀୟ ମନ୍ଦିର ନିର୍ମାଣରେ ତିନି ଜାତୀୟ ପଥର ବ୍ୟବହୃତ ହୁଏ ଯଥା:- ମାଙ୍କଡା ପଥର, ବଉଳମାଳା ପଥର ଓ କଳା ମୁଗୁନି ପଥର । ଏଥି ମଧ୍ୟରୁ ମାଙ୍କଡା ପଥର ମନ୍ଦିର ମୂଳଦୁଆରେ ବ୍ୟବହାର ହୋଇଥାଏ। ସେହିପରି ବଉଳମାଳା ପଥରରେ ମନ୍ଦିରର ଉପରିଭାଗ ନିର୍ମିତ୍ତ ହୋଇଥାଏ। ବାକି ରହିଲା କଳା ମୁଗୁନି ପଥର ଯାହା ଦ୍ୱାର ବନ୍ଧ, ସିଂହାସନ ତଥା ପାର୍ଶ୍ଵ ଦେବତା ନିର୍ମାଣରେ ବ୍ୟବହାର ହୋଇଥାଏ।
ବିଶେଶତଃ ବଉଳମାଳା ପଥରର ବ୍ୟବହାର ସମଗ୍ର ମନ୍ଦିରରେ ଦେଖିବାକୁ ମିଳେ। ଶ୍ରୀମନ୍ଦିରରେ ମଧ୍ୟ ଏହି ପଥର ବିଶେଷ ବ୍ୟବହାର ହୋଇଛି। କାରଣ ଏହା ମସୃଣ ଓ କଳା ମୁଗୁନିଠାରୁ କୋମଳ ଅଟେ ତେଣୁ ଏଥିରେ ବିଭିନ୍ନ କାରୁକାର୍ଯ୍ୟ ସୁନ୍ଦର ଭାବରେ କରି ହୋଇଥାଏ। ଶ୍ରୀମନ୍ଦିରର ମୂଳଦୁଆ ମାଙ୍କଡା ପଥରରେ ନିର୍ମିତ୍ତ ହୋଇଥିବାର ଏହାର ଉତ୍ତରପାର୍ଶ୍ଵ ମୂଳଦୁଆ ଦୃଶ୍ୟ ହେଉଥିବାରୁ ପ୍ରମାଣ ମିଳେ। କଳା ମୁଗୁନି ପଥରରେ ଗର୍ଭଗୃହ ଚଟାଣ, ରତ୍ନ ସିଂହାସନ, ଜୟ ବିଜୟ ଦ୍ୱାର ପାବଛ ସହ ଅଣସର ପିଣ୍ଡି, ଭୋଗ ମଣ୍ଡପ ଦ୍ୱାରବନ୍ଧ, ମୁକ୍ତି ମଣ୍ଡପ ଚଟାଣ ଇତ୍ୟାଦି ନିର୍ମିତ୍ତ ହୋଇଛି। ଏହି ପଥରରେ ମଧ୍ୟ ଅନେକ କାରୁକାର୍ଯ୍ୟ ହୋଇଥିବାର ଦୃଷ୍ଟି ଗୋଚର ହୁଏ। ବାକି ସମସ୍ତ ମୁଖ୍ୟ ମନ୍ଦିର, ଜଗମୋହନ, ନାଟ ମଣ୍ଡପ, ବିଭିନ୍ନ ପାବଛ ଭିତର ଓ ବାହାର ବେଢା ଅଗଣା, ଗୁମୁଟ, ଦୁଇ ପ୍ରାଚୀର ସହିତ ଲଷ୍ମୀ, ବିମଳା, ନୃସିଂହ, ସୂର୍ଯ୍ୟ, କ୍ଷୀରଚୋରା ଗୋପୀନାଥ ପ୍ରଭୃତି ମନ୍ଦିର ପାଶ ବା ବଉଳମାଳା ପଥରରେ ନିର୍ମିତ୍ତ ହୋଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ବଉଳମାଳା ପଥର ବିଶେଷ ଭାବରେ ମିଳୁଥିବାରୁ ଏହାର ବହୁଳ ବ୍ୟବହାର ଦୃଷ୍ଟି ଗୋଚର ହୁଏ। ଆଗାମୀ ଅଧ୍ୟାୟରେ ଜାଣିବା ମୂଖ୍ୟ କାରୁକାର୍ଯ୍ୟଗୁଡ଼ିକ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀର।
କ୍ଷଣ ଭଙ୍ଗୁର ଏ ଶରୀର
ସୃଦୃଢ ପର ଉପକାର।
ତାଙ୍କୁ ଧନ୍ୟ ଏ ସଂସାରେ
ଯେ ରହେ ପର ଉପକାରେ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ)
Comments are closed.