Latest Odisha News

BREAKING NEWS

ମାତିଲେ ଭେଜାଲ ବେପାରୀ, କଟକରେ ସିଲ୍ ଗୁଟୁଖା କମ୍ପାନୀ

କଟକ: ପୁଣି ମାତିଲେ ଭେଜାଲ ବେପାରୀ । ଏବେ ବି କଟକରେ ତିଷ୍ଠି ରହିଛି ଅପମିଶ୍ରଣ ସାମ୍ରାଜ୍ୟ । ତେଲ, ମସଲା, ଘିଅ, ଟମାଟୋ ସସ୍ ଓ ସିନ୍ଥେଟିକ୍ ପନିରଠାରୁ ଆରମ୍ଭ କରି ପାନମସଲା ଓ ଗୁଟୁଖା ବି ଏଠି ଅପମିଶ୍ରିତ । ତେବେ କିଛିଦିନ ଧରି ଧରପଗଡ ପରେ ବନ୍ଦ ରହିଥିଲା ଏଠିକାର ନକଲି କାରବାର । ହେଲେ ଏବେ ପୁଣିଥରେ ଭେଜାଲ ବେପାରୀ ସକ୍ରିୟ ହୋଇଉଠିଛନ୍ତି ।

କଟକ ସହରର ଛାତି ବାଦାମବାଡିରେ ବେଧଡକ ଚାଲିଥିଲା ନକଲି ଗୁଟୁଖା କାରବାର । ପୁରୀ ବସଷ୍ଟାଣ୍ଡ ପଛପଟେ ଥିବା ଏକ ଘରୁ ଜବତ ହୋଇଛି ୨୦୦ରୁ ଅଧିକ ଗୁଟୁଖା ବସ୍ତା । ଜବତ ଗୁଟୁଖାର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ମାମଲାରେ ଜଡିତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି ।

ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି କୋଲକାତାରୁ ଆମଦାନୀ ହେଉଥିବା ଏହି ନକଲି ଗୁଟୁଖା ମୁଖ୍ୟତଃ ଭଦ୍ରକ, ଜଗତସିଂହପୁରକୁ ଚାଲାଣ ହେବା ସହ କଟକରେ କିଛି ସ୍ଥାନରେ ବିକ୍ରୟ ହେଉଥିଲା । ଅନ୍ୟପଟେ ପୋଲିସ ଗୋଦାମକୁ ସିଲ୍ କରିବା ସହ ଗୁଟୁଖା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବ୍ରୋଟାରୀ ପଠାଇଛି ।

ଲାଭଖୋର ବ୍ୟବସାୟୀଙ୍କ ସର୍ଟକଟ୍ ତରିକା । ଅସଲି ଖୋଳରେ ନକଲି ଗୁଟୁଖା । ଏପରି ତରକାରେ ଅପମିଶ୍ରଣକାରୀ ମାଲାମାଲ ହେଉଥିବାବେଳେ ସାଧାରଣ ଲୋକ ଅଭ୍ୟାସ ନାଁରେ ରୋଗ କିଣିବାକୁ ବି ପଛାଉନାହାଁନ୍ତି ।

Leave A Reply

Your email address will not be published.