ଭୁବନେଶ୍ବର: ଦେଖୁ ଦେଖୁ ହାତରୁ ଖସିଯାଉଛି ୨୦୨୪ । ଆଉ ଦିନ କେଇଟା ପରେ ୨୪କୁ ସବୁଦିନ ପାଇଁ ଅଲବିଦା କହି ଆରମ୍ଭ ହେବାକୁ ଯାଉଛି ବର୍ଷ ୨୫ । ଏ ବର୍ଷ ସତରେ କେତେବେଳେ ଆସିଲା ଆଉ କେତେବଳେ ଚାଲିଗଲା ତାହା ଜଣାପଡିଲା ନାହିଁ । କିନ୍ତୁ ସାଙ୍ଗରେ ନେଇଯାଇଛି ସେ ଆମର ଆତ୍ମାଙ୍କୁ, ଯାହାଙ୍କୁ ଆଜି ମାଟି ଏବଂ ମା ଉଭୟ ଛୁରୁଛନ୍ତି ।
ଆସନ୍ତୁ ଟିକେ ନଜର ପକାଇବା ସେହି ଚର୍ଚ୍ଚିତ ଚେହେରାମାନଙ୍କ ଉପରେ, ଯେଉଁମାନେ ଚଳିତ ବର୍ଷ ପୃଥିବୀ ପୃଷ୍ଠରୁ ଅଲବିଦା ନେଇଛନ୍ତି । ଆଉ ସେମାନଙ୍କ ଦେହାନ୍ତ ଏକ ଅପୂରଣୀୟ କ୍ଷତି ଦେଇଯାଇଛି । ଯାହାଙ୍କ ଅମର ଆତ୍ମାଙ୍କୁ ଆମର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ….
ସେମାନଙ୍କ ମଧ୍ୟରେ ପ୍ରଥମେ ଆସିବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ । ଏହି ନିକଟରେ ଅର୍ଥାତ୍ ୨୬ ଡିସେମ୍ବର ୧୦୨୪ରେ ସବୁଦିନ ପାଇଁ ଶୋଇଯାଇଛନ୍ତି ମନମୋହନ । ଆଜି ତାଙ୍କ ବିୟୋଗରେ ଛୁରୁଛି ଦେଶ । ଜଣେ ଏମିତି ପ୍ରଧାନମନ୍ତ୍ରୀ, ଯାହାଙ୍କୁ ସୁଯୋଗବଶତଃ କୁହାଯାଉଥିଲା । ହେଲେ ପ୍ରଧାନମନ୍ତ୍ରୀ ଏବଂ ଜଣେ ଅର୍ଥନିତୀଜ୍ଞ ଭାବେ ପୂରା ଦେଶର ଅର୍ଥନୀତିକୁ ସେ ଶୀର୍ଷରେ ପହଞ୍ଚାଇଥିଲେ । କମ୍ କୁହନ୍ତି ହେଲେ କାମରେ ଅଧିକ କରି ଦେଖାଇବା ବ୍ୟକ୍ତିତ୍ବ ତାଙ୍କର । ଆଉ ଅର୍ଥନୀତିର ଥିଲେ ଭାଷ୍ମପୀତାମହ । ତାଙ୍କ କାର୍ଯ୍ୟକାଳ ଭିତରେ ଦେଶର ଅର୍ଥନୀତି ଶିଖର ଛୁଇଁଥିଲା । ପ୍ରଧାନମନ୍ତ୍ରୀ ଭାବେ ଶେଷ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଥିଲେ, ମୁଁ ଭାବୁଛି, ମୋର ମୂଲ୍ୟାଙ୍କନ ବେଳେ, ଇତିହାସ ମୋ ପ୍ରତି ସଦୟ ହେବ । ଆଜି ତାଙ୍କର ସେହି କଥା ପୂରା ଭାରତବାସୀଙ୍କ କାନରେ ଗୁଞ୍ଜରିତ ହେଉଥିବା ବେଳେ ଶନିବାର ପଞ୍ଚଭୂତ ବିଲୀନ ହୋଇଛି ମନମୋହନଙ୍କ ପାର୍ଥୀବ ଶରୀର ।
ସେହିପରି ଆଜି ସବୁଦିନ ପାଇଁ ଥମିଯାଇଛି ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ହାତ । ସବୁଦିନ ପାଇଁ ସ୍ବାଦ ହରାଇଛି ତାଜ୍ ଟି । ତାଜ୍ ଟିର ବିଜ୍ଞାପନ କରି ସେତେବେଳେ ବେଶୀ ପ୍ରସଂଶା ସାଉଁଟିଥିଲେ ଜାକିର । ନିଜ ତବଲା ବାଦକରେ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରୁଥିଲେ । ହେଲେ ଏବେ ସେ ହାତ ସବୁଦିନ ପାଇଁ ନୀରବି ଯାଇଛି । ଡିସେମ୍ବର ୧୫ ୨୦୨୪ରେ ୭୩ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଛନ୍ତି ଜାକିର ।
ଭାରତୀୟ ଶିଳ୍ପ ଜଗତର ଜଣେ ମୁକୁଟ ବିହୀନ ସମ୍ରାଟ ତଥା ଟାଟା ଗ୍ରୁପର ହର୍ତ୍ତାକର୍ତ୍ତା ରତନ ଟାଟା । ଉତ୍ତର ପୀଢିର ଉଜ୍ଜଳ ତାରକାମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯଶ ବା ଚିତ୍ତ ବା ସଫଳତା ଧେୟ ହେବା ଉଚିତ ନୁହେଁ, ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉ ନିଜର ଅବଦାନ ଦ୍ବାରା ଅନ୍ୟର ଜୀବନକୁ ଋଦ୍ଧିମନ୍ତ କରିବା । କିମ୍ବଦନ୍ତି ପୁରୁଷ ରତନ ଟାଟା ଭାରତ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଚିର ଲିପିବଦ୍ଧ ନାମ । ସେ କେବଳ ଜଣେ ବିଶିଷ୍ଟ ଉଦ୍ୟୋଗପତି ନଥିଲେ ତା ସହ ଜଣେ ବଦାନ୍ୟ ବ୍ୟକ୍ତି ମଧ୍ୟ ଥିଲେ । ହେଲେ ୯ ଅକ୍ଟୋବର ୨୦୨୪ ନିଶାର୍ଦ୍ଧରେ ତାଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଥିଲା । ୮୬ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଥିଲା ଟାଟା । ହେଲେ ଆଜି ବି ତାଙ୍କୁ ଛୁରୁଛି ପୂରା ଦୁନିଆ ।
ହିନ୍ଦୀ ସିରିୟଲ ଜଗତର ଜଣେ ଚର୍ଚ୍ଚିତ ଚେହେରା ରିତୁରାଜ ସିଂ । ତାଙ୍କର ନିଚ୍ଛକ ଅଭିନୟ ଆଜି ବି ଆଖି ଆଗରେ ଝଲସି ଉଠୁଛି । ପ୍ରତିଟି ଚରିତ୍ରକୁ ଅଭିନୟ ମାଧ୍ୟରେ ଜୀବନ୍ତ କରି ଦର୍ଶକଙ୍କ ମନମୋହୁଥିବା କଳାକାରଟି ଫେବୃଆରୀ ୨୦ ତାରିଖରେ ଚିର ନିଦ୍ରାରେ ଶୋଇଯାଇଥିଲେ । ମାତ୍ର ୫୯ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।
ଚିଠି ଆଇହେ ଆଇହେ ଚିଠି ଆଇହେ…. ଆଜି ବି କାନ ପାଖରେ ଗୁଞ୍ଜରିତ ହେଉଛି । ହେଲେ ସବୁଦିନ ପାଇଁ ନିରବି ଯାଇଛି ଏଇ ଗୀତଟିକୁ ଗାଇଥିବା ସେ ସ୍ବର । ତାଙ୍କ ଗଜଲ୍ ଯାଦୁରେ ସମସ୍ତଙ୍କୁ ମୋହୁଥିବା ସ୍ବରଟି ଫେବୃଆରୀ ୨୪, ୨୦୨୪ରେ ପରଠାରୁ ଆଉ ଶୁଣିବାକୁ ମିଳିନାହିଁ । ସେବେଠାରୁ ଗଜଲ ଗାୟକ ପଙ୍କଜ୍ ଉଦାସଙ୍କୁ ଝୁରୁଛି ଦେଶ ।
ନୀରବି ଗଲେ ସଙ୍ଗୀତ ସମ୍ରାଟ ଉସ୍ତାଦ ରସିଦ୍ ଖାନ୍। ୫୫ବର୍ଷ ବୟସରେ କର୍କଟ ରୋଗରେ ପୀଡିତ ହୋଇ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଖ୍ୟାତି ଅର୍ଜନ କରିଥିବା ରସିଦ ଖାନ । ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଖ୍ୟାତି ଅର୍ଜନ କରିଥିବା ରସିଦ ଖାନ, ‘ଜବ୍ ଉଇ ମେଟ୍’ ପାଇଁ ‘ଆଓଗେ ଜବ୍ ତୁମ୍’ ଭଳି ଗୀତ ଗାଇ ଖ୍ୟାତି ଅର୍ଜନ କରିଥିବା ବେଳେ ବେଶ୍ ଲୋକପ୍ରିୟ ହୋଇଥିଲେ। ଏହା ବ୍ୟତୀତ ସେ ‘ମାଇଁ ନେମ ଇଜ୍ ଖାନ୍’, ‘ରାଜ୍’ ,’ ମଣ୍ଟୋ ‘ଏବଂ ‘ଶାଦି ମେନ୍ ଜରୁର ଆନା ‘ଭଳି ଚଳଚ୍ଚିତ୍ରରେ ନିଜ ସ୍ବରର ଯାଦୁ ଦେଖାଇଥିଲେ।
କୁହନ୍ତି ହସଠାରୁ ଶ୍ରେଷ୍ଠ ଔଷଧ ନାହିଁ । କିନ୍ତୁ ସମସ୍ତଙ୍କୁ ସବୁବେଳେ ହସାଉଥିବା ବ୍ୟକ୍ତିଟି ଯେ ଏପରି ଅସମୟରେ ଚାଲିଯିବ ତାହା କେବେ ବି କେହି ବି ଭାବିନଥିଲେ । ନିଜ କମେଡି ଅନ୍ଦାଜରେ ସବୁବେଳେ ସମସ୍ତଙ୍କ ମୁହଁରେ ହସଫୁଟାଉଥିବା ବ୍ୟକ୍ତି କମେଡିଆନ ଅତୁଲ୍ ପରଚୁ ଚଳିତ ବର୍ଷ ଅକ୍ଟୋବର ୧୪ରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ କ୍ୟାନ୍ସର ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା ।
ଚାଲିଯାଇଥିଲେ ଆଉ ଜଣେ ବୁଲ୍ ବୁଲ୍ । ବିହାରର କୋକିଳକଣ୍ଠୀ ତଥା ପପୁଲାର୍ ଫୋକ୍ ସିଙ୍ଗର୍ ଶାରଦା ସିହ୍ନାଙ୍କ ନଭେମ୍ବର ୫ ରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବିହାରର ଲୋକଗୀତକୁ ବିଶ୍ବରେ ଚର୍ଚ୍ଚିତ କରିବାରେ ଶାରଦାଙ୍କ ଭୂମିକା ଅତୁଳନୀୟ କହିଲେ ଅତ୍ୟୁକ୍ତି ହେବନାହିଁ ।
ଛାଡିଚାଲିଗଲେ ରାମୋଜୀ ଫିଲ୍ମ ସିଟିର ପିତାମହ । ଜୁନ୍ ୮, ୨୦୨୪ରେ ଫିଲ୍ମ ସିଟିକୁ ବାପା ଛେଉଣ୍ଡ କରି ଚାଲିଯାଇଥିଲେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସି.ରାମୋଜୀ ରାଓ । ସିନେ ଜଗତର ଏକ ଅଭୁଲା ମଣିଷ । ସିନେମା ନିର୍ମାଣ ପାଇଁ ନିର୍ମାତାଙ୍କୁ ଭେଟି ଦେଇଥିଲେ ରାମୋଜୀ ଫିଲ୍ମ ସିଟି । ଆଜି ବି ହାଇଦ୍ରାବାଦ୍ ସ୍ଥିତ ରାମୋଜୀ ସିଟିରେ ବନୁଛି ଅନେକ ସିନେମା । ଏଥିସହିତ ଓଡ଼ିଶାରେ ଓଡ଼ିଆ ଚ୍ୟାନେଲ୍ ଇଟିଭି ଓଡିଆର ଆରମ୍ଭ କରି ଟେଲିଭିଜନ୍ ଜଗତରେ ଏକ ବିପ୍ଲବ ସୃଷ୍ଟି କରିଥିଲେ ରାମୋଜୀ । ଖାଲି ସେତିକି ନୁହେଁ ଆଜି ମିଡିଆ ଜଗତର ଅଧିକାଂଶ ନାମାଦାମୀ ସାମ୍ବାଦିକଙ୍କୁ ରାମୋଜୀ ରାଓଙ୍କ ପ୍ରତିଷ୍ଠିତ ଇଟିଭି ଚ୍ୟାନେଲ୍ରେ ପ୍ରଥମ ସୁଯୋଗ ଦେଇଥିଲେ । ସେ ଆଞ୍ଚଳିକ ହୁଅନ୍ତୁ ଅବା ଜାତୀୟ, ମିଡିଆ ଜଗତରେ ରାମୋଜୀ ରାଓ ଛାପ ଛାଡ଼ି ଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ଦେହାନ୍ତରେ ଦେଶର ମିଡିଆ ଓ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଯାଇଛି ।
କୁହନ୍ତି ମୃତ୍ୟୁ ସମୟ, ବୟସ କିମ୍ବା ପ୍ରତିଭା ଦେଖେନି । ଆଉ ସୁହାନିଙ୍କ କ୍ଷେତ୍ରରେ ତାହା ଯେମିତି ସତ ହୋଇଛି । ଦଙ୍ଗଲ ସିନେମାରେ ବବିତା ଫୋଗାଟଙ୍କ ପିଲା ଦିନର କାଣୀଙ୍କୁ ଅଭିନୟ କରିଥିବା ଶିଶୁ କଳାକାର ସୁହାନି ଭଟନାଗର ମାତ୍ର ୧୯ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । କୌଣସି ରୋଗରେ ପୀଡିତ ହୋଇ ଫେବୃଆରୀ ୭ ରେ ସବୁଦିନ ପାଇଁ ଦୁନିଆକୁ ବିଦାୟ ଦେଇଥିଲେ ସୁହାନୀ ।
ସେହିପରି ରାଜ୍ୟ ମଧ୍ୟ ବହୁ ଚର୍ଚ୍ଚିତ ଚେହେରାଙ୍କୁ ହରାଇଛି । ସେଥିମଧ୍ୟରୁ ଓଡିଶା ରାଜନୀତିର ମହାଦ୍ରୁମ କୁହାଉଥିବା ଟାଣୁଆ ନେତା ଦାମୋଦର ରାଉତଙ୍କ ୨୨ ମାର୍ଚ୍ଚରେ ପରଲୋକ ହୋଇଥିଲା । ୮୧ ବୟସରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ମୋ ପ୍ରଭୁ ଜଗନ୍ନାଥ, ସେ ଯେ କମଳାକାନ୍ତ, ବଗ କୁହେ ବଗୁଲିରେ… ଭଳି ଭଜନ ଗାଇ ସମସ୍ତଙ୍କୁ ଶାନ୍ତି ପ୍ରଦାନ କରୁଥିବା ଗାୟିକା ଶାନ୍ତିଲତା ବାରିକ ଏପ୍ରିଲ ୧ ତାରିଖରେ ସବୁ ଦିନ ପାଇଁ ଶାନ୍ତ ହୋଇଯାଇଥିଲେ ।
ନଭେମ୍ବର ୧୮ରେ କଟକ ମୁଣ୍ଡରୁ ହଟିଥିଲା ମୁରବିଙ୍କ ହାତ । ଯେତେବେଳେ ବରିଷ୍ଠ ବିଜେପି ନେତା ତଥା କଟକର ଜଣେ ଟାଣୁଆ ରାଜନେତାଙ୍କର ଦେହାନ୍ତ ହୋଇଥିଲା । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ ସମୀର ଦେ ।
ଆଉ ସ୍ତବ୍ଧ କରିଥିଲା ବାଦଲଙ୍କ ମୃତ୍ୟୁ । ଡିସେମ୍ବର ୨୩ରେ ହୃଦଜନିତ ରୋଗରେ ଯେତେବେଳେ ସମସ୍ତଙ୍କୁ ଚାଡି ଯାଇଥିଲେ ବିଜେଡି ବରିଷ୍ଠ ନେତା ତଥା ଭୁବନେଶ୍ବର ମଧ୍ୟର ଦୁଇ ଦୁଇ ଥର ବିଧାୟକ ରହିଥିବା ବିଜୟ ମହାନ୍ତି ଓରଫ ବାଦଲ । ମାତ୍ର ୬୦ ବର୍ଷ ବୟସରେ ଦୁନିଆ ତ୍ୟାଗ କରିଥିଲେ ବିଜୟ । ଯାହା ଏବେ ବି ରାଜନୈତିକ ମହଲରେ ଅବିଶ୍ବସନୀୟ ।
Comments are closed.